ଶନିବାରଠାରୁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ନୂଆ ଦିଗଦର୍ଶନ ଦେବା ପାଇଁ ଆୟୋଜିତ ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ୍, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ୧୧ଟି ପ୍ରମୁଖ ରାଷ୍ଟ୍ରର ନେତା ଏକାଠି ହେଉଛନ୍ତି। ଏହା ସହିତ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ୧୦ଟି ସହଯୋଗୀ ରାଷ୍ଟ୍ର ଏଥିରେ ସାମିଲ ହେବେ। । ଏହା ସହିତ ରାଜଧାନୀ ଦିଲ୍ଲୀ ଏବେ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସମ୍ମିଳନୀକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରାଯାଇଛି । ଲୁଟିୟନ୍ସ ଦିଲ୍ଲୀ ଏବଂ VVIP ଅଞ୍ଚଳଗୁଡ଼ିକୁ ଏକାଧିକ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିମାନବନ୍ଦରଠାରୁ ଭାରତ ମଣ୍ଡପମ ଏବଂ ବିଦେଶୀ ଅତିଥିମାନେ ରହିବାକୁ ଥିବା ହୋଟେଲ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନ ଉପରେ ସୁରକ୍ଷା ବଳର ତୀକ୍ଷ୍ଣ ନଜର ରହିଛି ।ସୂଚନା ଅନୁସାରେ, ପ୍ରାୟ ୧୫ ହଜାର ପୁଲିସ କର୍ମଚାରୀ ଏବଂ ଅର୍ଦ୍ଧସାମରିକ ବଳର ୨୦୦ କମ୍ପାନୀ ଦିଲ୍ଲୀରେ ଭିଭିଆଇପି ଏବଂ ବିଦେଶୀ ଅତିଥିମାନଙ୍କ ସୁରକ୍ଷାରେ ମୁତୟନ ଅଛନ୍ତି । ଦିଲ୍ଲୀରେ ସୁରକ୍ଷା ଏତେ କଡ଼ା କରାଯାଇଛି ଯେ, ପରିନ୍ଦା ମଧ୍ୟ ପର ମାରିପାରିବ ନାହିଁ । ଜଣେ ଅଧିକାରୀଙ୍କ ଅନୁସାରେ, VVIP ଅଞ୍ଚଳରେ ୫୦୦ରୁ ଅଧିକ CCTV କ୍ୟାମେରା ଲଗାଯାଇଛି । ଏଥିରେ ଫେସ୍ ରିକଗ୍ନିସନ୍ ସିଷ୍ଟମ୍ ସହିତ ଗାଡ଼ିର ନମ୍ବର ପ୍ଲେଟ୍ ଚିହ୍ନଟ କରୁଥିବା କ୍ୟାମେରା ମଧ୍ୟ ସାମିଲ ଅଛି । ଏହା ବ୍ୟତୀତ ବିଦେଶୀ ଅତିଥିମାନେ ରହିବାକୁ ଥିବା ହୋଟେଲଗୁଡ଼ିକରେ ମଧ୍ୟ ଦିଲ୍ଲୀ ପୁଲିସ ପକ୍ଷରୁ ଏକାଧିକ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ ୩୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇ ପ୍ରତ୍ୟେକ ସ୍ଥାନ ଉପରେ ନଜର ରଖୁଛନ୍ତି ।
