
ନୟାଗଡ଼,(ଓଡ଼ିଶା ଦର୍ପଣ): ପିଏମଶ୍ରୀ ଏନ.ଏ.ସି. ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ ନିଶା ଦ୍ରବ୍ୟ ଓ ବ୍ରାଉନ୍ ସୁଗାର୍ ଆସକ୍ତିର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ମୁଖ୍ୟ ପୁରୋଧା ଭାବେ ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଜୀବନଯାପନ ପାଇଁ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମରେ ବ୍ରାଉନ୍ ସୁଗାର୍ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନର ଭୟାବହତା, ଏହାର ମାନସିକ, ଶାରୀରିକ ଏବଂ ସାମାଜିକ କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟ ସ୍ତରରୁ ନିଶା ନିବାରଣ ସଚେତନତା ସୃଷ୍ଟି କରି ଏକ ସୁସ୍ଥ ଓ ନିରାପଦ ସମାଜ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଶପଥ ପାଠ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଭାଗ ନେଇ ନିଶାମୁକ୍ତ ସମାଜ ଗଢ଼ିବାର ସଂକଳ୍ପ ନେଇଥିଲେ।
