
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଗତ ସନ୍ଧ୍ୟାରେ ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ଆନୁକୂଲ୍ୟରେ କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ ହୋଇଯାଇଛି। ଉତ୍ସାହ ଓ ଉଦ୍ଦୀପନା ସହିତ ଆୟୋଜିତ ଏହି ନାଟକକୁ ଭରପୂର ପ୍ରେକ୍ଷାଳୟରେ ଦର୍ଶକମାନେ ଶେଷ ପର୍ଯ୍ୟନ୍ତ ବେଶ୍ ଆଗ୍ରହର ସହ ଉପଭୋଗ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି ନାଟକରେ ଉଚ୍ଚପିଢ଼ିରେ ସ୍ଥାନିତ ମଙ୍ଗୁଆଳମାନଙ୍କ ଅନ୍ତର୍ନିହିତ ସୁବିଧାବାଦୀ ଚରିତ୍ର, ସରଳ ଆଦିବାସୀ ଜୀବନର ଅବ୍ୟକ୍ତ ବେଦନା, ଚରମପନ୍ଥୀ ବାମବିଚ୍ୟୁତିର ବିଭ୍ରାନ୍ତି ଏବଂ ଶୋଷଣବାଦୀ ସାମାଜିକ ବ୍ୟବସ୍ଥାର ବିକୃତିକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି। ଏହାସହ ଅର୍ଥପ୍ରାପ୍ତି ଲାଳସାରେ ଅଭାବୀ ଯୁବମାନସର ଠକ ପ୍ରବୃତ୍ତି ଏବଂ ‘କୁଆଁରୀ କୋଠି’ର ଅହେତୁକ ଅଜଣା ସ୍ଵରକୁ ନେଇ ସୃଷ୍ଟି ହୋଇଥିବା ଭୀତିପ୍ରଦ ଉତ୍କଣ୍ଠା ନାଟକକୁ ବେଶ୍ ଗତିଶୀଳ କରିଥିଲା।
ଗଦାଧର ନନ୍ଦଙ୍କ ନିର୍ଦ୍ଦେଶନା ଓ ପ୍ରମୋଦ ପଟ୍ଟନାୟକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ନାଟକର ଶବ୍ଦ ଓ ଆଲୋକ ସଂଚାଳନ ଦାୟିତ୍ୱ ବିପି ସାଉଣ୍ଡ ତୁଲାଇଥିବା ବେଳେ ଶକ୍ତି ପ୍ରସାଦ ମିଶ୍ର ସଙ୍ଗୀତ ପରିଚାଳନା କରିଥିଲେ। ବାସୁଦେବ ମିଶ୍ର, ଅଶୋକ ମଲ୍ଲ ଓ ଭାଗିରଥି ମହାରଣା ମଞ୍ଚ ପରିଚାଳନାକୁ ଦକ୍ଷତାର ସହ ସମ୍ପାଦନ କରିଥିଲେ। ନାଟକର ବିଭିନ୍ନ ଚରିତ୍ରରେ ମିଷ୍ଟର କାଳିଆ, ଦେବେନ୍ଦ୍ର, ଅନ୍ତର୍ଯ୍ୟାମୀ, ସଂଜୟ, ରବୀନ୍ଦ୍ର, ପ୍ରତାପ, ଲକି, ନିରଂଜନ, ପ୍ରଦୀପ, ସୁଦର୍ଶନ, ଗୋପିନାଥ, ରାଜେଶ୍, କଣ୍ଢେଇ ଓ ମୀରା ପ୍ରମୁଖ କଳାକାରମାନେ ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ। ନାଟକ ବହିର ପ୍ରକାଶକ ଶରତଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
