ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲାଣି ନିର୍ବାଚନ ଆୟୋଗ ।ନିର୍ବାଚନୀ ବାଲଟ ପେପରରେ ମୁଦ୍ରଣ ନିମନ୍ତେ ଆବଶ୍ୟକ ୱାଟରମାର୍କ କାଗଜ କ୍ରୟ ପାଇଁ ମୁଦ୍ରଣ, ଲିଖନ ଏବଂ ପ୍ରକାଶନ ନିର୍ଦ୍ଦେଶାଳୟ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଆବଶ୍ୟକ ଅର୍ଥ ବରାଦ ପାଇଁ ଅନୁରୋଧ କରିଛି ।ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ (ବୈଷୟିକ) ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗର ସଚିବଙ୍କୁ ପତ୍ର ଲେଖିଛନ୍ତି । ଏହା ସହିତ ବାଲଟ ପେପରରେ ବ୍ୟବହୃତ ହେବାକୁ ଥିବା ୱାଟରମାର୍କ ଡିଜାଇନର 4ଟି ପ୍ରୁଫ କପି ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପାଇଁ ପଠାଯାଇଛି । ମତଦାନ ପ୍ରକ୍ରିୟା ସହ ସମ୍ପୃକ୍ତ ବିଭିନ୍ନ ପ୍ରତୀକକୁ ନେଇ ପ୍ରସ୍ତୁତ ଏହି ୱାଟରମାର୍କ ଡିଜାଇନଗୁଡ଼ିକ ଉପରେ ଆୟୋଗର ମଞ୍ଜୁରୀ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଅନୁମୋଦିତ ପ୍ରୁଫ କପି ଶୀଘ୍ର ଫେରସ୍ତ ପଠାଇବାକୁ ମଧ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
ନିର୍ବାଚନୀ ବାଲଟ ପେପରର ସୁରକ୍ଷା, ପ୍ରାମାଣିକତା ଓ ନକଲ ରୋକିବା ଦୃଷ୍ଟିରୁ ୱାଟରମାର୍କ କାଗଜର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ବିଶ୍ୱସନୀୟ କରିବା ଲକ୍ଷ୍ୟ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ମୁଦ୍ରଣ, ଲିଖନ ଏବଂ ପ୍ରକାଶନ ନିର୍ଦ୍ଦେଶାଳୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି ।
