ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର । ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପ୍ରଭାତ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ପରେ ସେ ମୃତ ବୋଲି ଭାବି ତାଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇ ପଳାଇ ଯାଇଥିବା ଅଭିଯୋଗ କରିଛନ୍ତି । କୂଅ ଭିତରେ ଚାରି ଦିନ ଧରି ଭୋକ ଓ ଶୋଷରେ ସଂଘର୍ଷ କରି ସେ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସମଲାଇପଦର ଗାଁର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ କୂଅ ଭିତରୁ ସାହାଯ୍ୟ ପାଇଁ ଚିତ୍କାର ଶୁଣିଥିଲେ । ଏହାପରେ ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ କୂଅ ଭିତରୁ ବାହାର କରିଥିବା ଦେଖିବାକୁ ମିଳିଛି ।ଏନେଇ ଉକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣକ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସିରାମ ବରିହା ବୋଲି ଜଣାପଡ଼ିଛି ।ଗତ ୩ ଦିନ ହେଲା ତାଙ୍କ ନାମରେ ପଦ୍ମପୁର ଥାନାରେ ନିଖୋଜ ଥିବା ଏତଲା ଦିଆ ଯାଇଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି ।
