ଆଜି ହେଉଛି ରସଗୋଲା ଦିବସ । ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ପାଳିତ ହେଲା ରସଗୋଲା ଦିବସ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଶେଷ ନୀତି ନୀଳାଦ୍ରି ବିଜେ ଅବସରେ ରସଗୋଲା ଦିବସ ପାଳନ କରାଯିବ । ଏହି ଉତ୍ସବ ପୂର୍ବରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳାକାର ତଥା ପଦ୍ମଶ୍ରୀ ସମ୍ମାନିତ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ୭ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଦେଖାଯାଇଛି । ଏହି କଳାରେ ହ୍ୟାପି ରସଗୋଳା ଦିବସ ବାର୍ତ୍ତା ଦିଆଯାଇଛି । ତେବେ ବାଲୁକା କଳାରେ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରୁଥିବା ଦୃଶ୍ୟକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କଳାକୃତି ନିର୍ମାଣ କରାଯାଇଛି । ଏହି ଅବସରରେ ସୁଦର୍ଶନ କହିଛନ୍ତି, ରସଗୋଲା ଦିବସ ହେଉଛି ଓଡ଼ିଶାର ଗୌରବମୟ ଜଗନ୍ନାଥ ସଂସ୍କୃତି, ପ୍ରେମ, ଏକତା ଓ କ୍ଷମା ବାର୍ତ୍ତାର ଉତ୍ସବ । ମାନଭଞ୍ଜନ ପରମ୍ପରା ଆମକୁ ସହାନୁଭୂତି ଓ ସମନ୍ୱୟର ମହତ୍ତ୍ୱ ଶିଖାଇଥାଏ ।
