ଜୁଲାଇ ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ସାରା ରାଜ୍ୟକୁ ଛୁଇଁଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ।ଏଥର କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଥିଲା ମୌସୁମୀ ବାୟୁ । ଉତ୍ତର ଭାଗରୁ ରାଜ୍ୟକୁ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୧୧ ଦିନରେ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଛି ମୌସୁମୀ । ଏହାସହ ରାଜ୍ୟରେ ଟ୍ରପ ଲାଇନ ସକ୍ରିୟ ରହିଛି ।କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼ ,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଆସନ୍ତା ୨୫ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ଲଘୁଚାପର ରୂପ ନେବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ।

ଅଧିକ ପଢନ୍ତୁ