ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ ସରକାରଙ୍କ ଗୁରୁତ୍ୱ । ଗରିମା କର୍ମଶାଳାରେ ଯୋଗଦେଇ ପରିମଳ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରିମଳ କ୍ଷେତ୍ରରେ ଏବେ ମେସିନ ଓ ରୋବୋଟିକ୍ସର ବ୍ୟବହାର ହେଉଛି। ଆଗକୁ ଆହୁରି ନୂଆ ମେସିନ ଆସିବ। ‘ମିଶନ ଜିରୋ’ ଲକ୍ଷ୍ୟ ହାସଲ ପାଇଁ ଠିକ୍ ଲୋକଙ୍କ ପାଖରେ ଠିକ୍ ଟେକ୍ନୋଲୋଜି ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଆଜି ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କୁ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ପରିମଳ କାର୍ଯ୍ୟ ସମୟରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ନେଇ ମଧ୍ୟ ଘୋଷଣା କରିଛନ୍ତି। ୨ ଜଣ ମୃତ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଥିବା ବେଳେ, କେବଳ ପରିମଳ କାର୍ଯ୍ୟ ନୁହେଁ, ଯେକୌଣସି କାରଣରୁ ମୃତ୍ୟୁ ହେଲେ ମଧ୍ୟ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି। ଏହାସହ ଘର ପାଇନଥିବା ପରିମଳ କର୍ମଚାରୀମାନେ ଖୁବଶୀଘ୍ର ଘର ପାଇବେ ।
