ହରିୟାଣା ଜେଲରେ ଆଜୀବନ ସଜା କାଟୁଥିବା ଗ୍ୟାଙ୍ଗଷ୍ଟର ମନପାଲ ଧିଲ୍ଲାକୁ ବିବାହ ପାଇଁ ୧୨ ଘଣ୍ଟିଆ ପାରୋଲ ମିଳିଥିଲା। ଗୁରୁବାର ଝାଜ୍ଜର ଜିଲ୍ଲାର ଦୁଲିନା ଗାଁରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ଧିଲ୍ଲା କାମ୍ବୋଡିଆର ନାଗରିକ ମେଟା ଚାନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛି।୨୦୧୮ରେ ପାରୋଲ ପାଇବା ପରେ ଧିଲ୍ଲା କାମ୍ବୋଡିଆ ପଳାଇ ଯାଇଥିଲେ । ୨୦୨୫ରେ ହରିୟାଣା ପୋଲିସ ତାଙ୍କୁ ଗିରଫ କରି ଭାରତ ଫେରାଇ ଆଣିଥିଲା ।ମନପାଲ ଧିଲ୍ଲାଙ୍କ ବିବାହ ଉତ୍ସବ ଝାଜ୍ଜର-ଗୁରୁଗ୍ରାମ ରୋଡରେ ଥିବା ଦୁଲିନା ଫାର୍ମହାଉସରେ ଅନୁଷ୍ଠିତ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଫାର୍ମହାଉସକୁ ପୋଲିସ କ୍ୟାମ୍ପରେ ପରିଣତ କରାଯାଇଥିଲା । ପୋଲିସ ଉତ୍ସବରେ ଯୋଗ ଦେଉଥିବା ସମ୍ପର୍କୀୟ ମାନଙ୍କୁ ଯାଞ୍ଚ କରିଥିଲା ଏବଂ ଗଣମାଧ୍ୟମ ପ୍ରବେଶକୁ ବାରଣ କରିଥିଲା ।ସୂଚନା ଅନୁସାରେ, ଭାରତରୁ ଫେରାର ହେବା ପରେ ଧିଲ୍ଲା ପ୍ରାୟ ୮ ବର୍ଷ କାମ୍ବୋଡିଆରେ ରହିଥିଲା। ସେଠାରେ ତାର ମେଟା ଚାନଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ଏହି ଦମ୍ପତିଙ୍କର ୪ ଜଣ ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ କାମ୍ବୋଡିଆରେ ରହୁଛନ୍ତି। ମେଟା ଚାନ୍ ତାଙ୍କର ୩ ଜଣ ପିଲା ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଝାଜ୍ଜରରେ ପହଞ୍ଚିଥିଲେ।ବିବାହ ସମାରୋହରେ ପ୍ରାୟ ୫୦୦ରୁ ୬୦୦ ଅତିଥିଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।୨୦୦୭ରେ ବାହାଦୁରଗଡ଼ ସଦର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଧିଲ୍ଲାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ହତ୍ୟା, ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ର ବ୍ୟବହାର ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ ରହିଥିଲା।
୨୦୧୩ରେ ଏକ ଅଦାଲତ ତାକୁ ଆଜୀବନ କାରାଦଣ୍ଡ ଦେଇଥିଲେ।
