ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । କାଲି ଲୋପ୍ରେସର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ବାକି ସ୍ଥାନରେ ବି ଭୀଷଣ ବର୍ଷିବ। ଗୁରୁବାରଠାରୁ ଲଗାଣ ବର୍ଷା ଚାଲିବ । ମୟୂରଭଞ୍ଜ ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ତାପମାତ୍ରା ଖସିଛି । ଗରମ ଓ ଗୁଳୁଗୁଳିରେ ମିଳିଛି ସାମାନ୍ୟ ଆଶ୍ବସ୍ତି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ପ୍ରବଳ ବର୍ଷା ହୋଇଛି । ଏଠାରେ ୧୬୮ମିମି ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ୯୨, ଜଗତସିଂହପୁରରେ ୬୦, ଫୁଲବାଣୀରେ ୫୯, ନୟାଗଡ଼ରେ ୫୩, ଦେବଗଡ଼ରେ ୫୨, ପୁରୀରେ ୪୬.୯, ଭୁବନେଶ୍ୱରରେ ୪୪, ବଲାଙ୍ଗୀରରେ ୪୦, ଭବାନୀପାଟଣାରେ ୩୫.୪ ମିମି ବର୍ଷା ରେକର୍ଡ ହୋଇଛି ।
