ବନ୍ୟାରେ ମୋଟ ୪ ଲକ୍ଷ ୮୮ ହଜାର ୮୬୮ଟି ପଶୁ ପ୍ରଭାବିତ: ପଶୁ ସମ୍ପଦ ମନ୍ତ୍ରୀ

ଗୃହପାଳିତ ପଶୁଙ୍କୁ ନେଇ ବଡ଼ ବୟାନ ଦେଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ୯ଟି ଜିଲ୍ଲାରେ ବନ୍ୟା ହୋଇଛି । ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଜୁଲାଇ ୩୧ ସୁଦ୍ଧା ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି ।ବନ୍ୟାରେ ମୋଟ ୪ ଲକ୍ଷ ୮୮ ହଜାର ୮୬୮ଟି ପଶୁ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି । ଏହାଛଡ଼ା ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାର ପ୍ରଭାବରେ ଆସିଛନ୍ତି । ପଶୁମାନଙ୍କ ସୁରକ୍ଷା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି । ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପ୍ରଦାନ କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି । ତେବେ ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି lବନ୍ୟା ପ୍ରଭାବିତ ଅଞ୍ଚଳରେ ପଶୁପକ୍ଷୀ ମାନଙ୍କ ଉଦ୍ଧାର ପାଇଁ ହେଲ୍ପ ଲାଇନ୍ ନମ୍ବର 1962 ଜାରି କରାଯାଇଛି l 24 ଘଣ୍ଟା ଲୋକେ ଏହାର ସହାୟତା ନେଇପାରିବେ l

ଅଧିକ ପଢନ୍ତୁ