ବନ୍ୟାର ପ୍ରଖର ସୁଅରେ ଭାସି ଯାଇଥିବା ଜଣେ ଯୁବକଙ୍କୁ ଦୀର୍ଘ ୫ ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅର୍ଜୁନପୁର ଅଞ୍ଚଳରେ ଘଟିଛି ଏଭଳି ଅଦ୍ଭୁତ ଘଟଣା। ଉଦ୍ଧାର ଯୁବକ ହେଲେ ସୁନନ୍ଦ ବେହେରା।ସୂଚନା ଅନୁସାରେ, ବନ୍ୟା ସୁଅରେ ଭାସିଯିବା ପରେ ସୁନନ୍ଦ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପରିବାର ଓ ସ୍ଥାନୀୟ ଲୋକେ ଚେଷ୍ଟା ଜାରି ରଖିଥିଲେ। ତେବେ ପ୍ରାୟ ୫ ଦିନ ପରେ ତାଙ୍କୁ ଏକ ତାଳ ଗଛକୁ ଧରି ରହିଥିବା ଅବସ୍ଥାରେ ଠାବ କରାଯାଇଥିଲା।ମଙ୍ଗଳବାର ତାଙ୍କୁ କିଛି ସ୍ଥାନୀୟ ଲୋକେ ଦେଖିଥଲେ।ଏହା ପରେ ଖବର ପାଇ ଓଡରାଫ୍ ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ବ୍ୟକ୍ତି ଜଣକ ମାନସିକ ବିକାର ଗ୍ରସ୍ତ ବୋଲି ସୂଚନା ମିଳିଛି। ତେବେ ସ୍ବାସ୍ଥ୍ୟ ଖରାପ ଯୋଗୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାଯାଇଛି। ବନ୍ୟା ପରିସ୍ଥିତି ମଧ୍ୟରେ ଓଡ୍ରାଫ୍ ଟିମର ନିରନ୍ତର ଓ ସାହସିକ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
