ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ବୈଶ୍ୱିକ ସପ୍ଲାଇ ଚେନ୍ ଉପରେ ଏହାର ପ୍ରଭାବ ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ରସାୟନ ଓ ସାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ସାର ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ବୋଝେଇ ୧୫ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଜଳସନ୍ଧି ପାର କରିସାରିଛି । ସେଥିରୁ ୮ଟି ଜାହାଜରେ ୩.୩୨ ଲକ୍ଷ ଟନ୍ ୟୁରିଆ ଆସିଛି। ୪ଟି ଜାହାଜରେ ୨.୫୭ ଲକ୍ଷ ଟନ୍ ଡିଏପି ଏବଂ ୩ଟି ଜାହାଜରେ ୧.୧୧ ଲକ୍ଷ ଟନ୍ର ସଲଫର୍ ଆସିଛି। ସବୁ ଜାହାଜ ସମୟ ମୁତାବକ ଭାରତୀୟ ବନ୍ଦରକୁ ଆସୁଛି। ୫ଟି ଅଧିକ ଜାହାଜ ଆସିବାର ପୂର୍ବ ପର୍ଯ୍ୟାୟରେ ରହିଛି। ସେଥିରୁ ଗୋଟିଏ ଜାହାଜରେ ୦.୨୫ ଲକ୍ଷ ଟନ୍ ଆମୋନିଆ ଏବଂ ଅନ୍ୟ ଗୋଟିଏରେ ୦.୪୫ ଲକ୍ଷ ଟନ୍ ୟୁରିଆ ରହିଛି। ଦୁଇଟି ୟୁରିଆ ଜାହାଜ ଏବଂ ଗୋଟିଏ ସଲଫର୍ ଜାହାଜରେ ଏବେ ବୋଝେଇ କାର୍ଯ୍ୟ ଚାଲିଛି।
ସବୁ ଜାହାଜ ଯୋଜନା ମୁତାବକ ଆସି ପହଞ୍ଚିବା ନେଇ ଆଶା ରହିଥିବା କୁହାଯାଇଛି।କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବୈଶ୍ୱିକ ସପ୍ଲାଇ ଚେନ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି । ଫଳରେ ସାରର ଦର ବୃଦ୍ଧି ପାଇବା ସହ ଜାହାଜ ମାଧ୍ୟମରେ ସାମଗ୍ରୀ ପରିବହନରେ ମଧ୍ୟ ଅଧିକ ସମୟ ଲାଗୁଛି । ସେ କହିଛନ୍ତି, ବିଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ସମ୍ଭାବ୍ୟ ବୈଶ୍ୱିକ ଉତ୍ପାଦକ ଓ ଯୋଗାଣକାରୀଙ୍କ ସହ ସଂପର୍କ ସ୍ଥାପନରେ ସାର ବିଭାଗକୁ ସକ୍ରିୟ ସହଯୋଗ କରିଛନ୍ତି ।
