ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ. ଏପିଜେ ଅବଦୁଲ କଲାମ ଦୀପରୁ ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେଡ୍ ରି-ଏଣ୍ଟ୍ରି ଭେହିକଲ୍ (ଏମ୍ଆଇଆରଭି) ରୁ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।ସାଧାରଣତଃ ଗୋଟିଏ ମିସାଇଲ ଗୋଟିଏ ଲକ୍ଷ୍ୟଭେଦ କରିଥାଏ, କିନ୍ତୁ MIRV ଯୁକ୍ତ ଅଗ୍ନି ମିସାଇଲର ବିଶେଷତ୍ୱ ରହିଛି । ଏହି ଗୋଟିଏ ମିସାଇଲ୍ ଆକାଶକୁ ଯିବା ପରେ ଏଥିରୁ ବାହାରୁଥିବା ଏକାଧିକ ପରମାଣୁ ଯୁଦ୍ଧାସ୍ତ୍ର ଶହ ଶହ କିଲୋମିଟର ଦୂରରେ ଥିବା ଅଲଗା ଅଲଗା ଶତ୍ରୁ ଶିବିରକୁ ଏକାସାଙ୍ଗରେ ଧ୍ୱଂସ କରିପାରିବ ।ଏହି ମିସାଇଲକୁ ଅଟକାଇବା ଶତ୍ରୁର ଆଣ୍ଟି-ବାଲିଷ୍ଟିକ୍ ମିସାଇଲ୍ ସିଷ୍ଟମ୍ ପାଇଁ ପ୍ରାୟ ଅସମ୍ଭବ ।ଏହି ସଫଳତା ସହ ଭାରତ ଏବେ ଆମେରିକା, ଋଷ, ଚୀନ୍ ଓ ଫ୍ରାନ୍ସ ଭଳି ଅତି ସୀମିତ ଦେଶଙ୍କ କ୍ଲବରେ ସାମିଲ ହୋଇଛି । ଯାହାଙ୍କ ପାଖରେ MIRV କ୍ଷମତା ସମ୍ପନ୍ନ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ରହିଛି । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
