ଭେନେଜୁଏଲାରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ। ଭେନେଜୁଏଲାରେ ଭୂକମ୍ପ ପ୍ରପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ଗତ ଶତାବ୍ଦୀ ମଧ୍ୟରେ ଦେଶର ଏହି ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଭେନେଜୁଏଲାବାସୀଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି ।ଗତ ଜୁନ୍ ୨୪, ୨୦୨୬ ସନ୍ଧ୍ୟାରେ ଭେନେଜୁଏଲାରେ ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଦୁଇ ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ଝଟ୍ କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୭.୨ ଏବଂ ୭.୫ ରେକର୍ଡ କରାଯାଇଥିଲା । ୟାରାକୁଏ ରାଜ୍ୟର ମୋରୋନ୍ ଅଞ୍ଚଳ ଏହାର କେନ୍ଦ୍ରସ୍ଥଳ ଥିଲା । ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବ୍ୟାପକ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବା ବେଳେ ଲା ଗୁଆଇରା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୫ ଶହ ଅତିକ୍ରମ କରିସାରିଛି । ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି । ଏଭଳି ସଙ୍କଟଜନକ ସ୍ଥିତିରେ ଭି.କେ. ପାଣ୍ଡିଆନ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀ ଓ ବିପନ୍ନମାନଙ୍କୁ ଭେଟି ସେମାନଙ୍କ ସାହସକୁ ପ୍ରଶଂସା କରିଛନ୍ତି ।ଏହି ବିପତ୍ତି ସମୟରେ ସେଠାରେ ସେବା ଯୋଗାଉଥିବା ଭାରତୀୟ ସେନା ଏବଂ ଆର୍ମି ମେଡିକାଲ କୋର୍ସର କାର୍ଯ୍ୟକୁ ସେଠାକାର ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ସେନାବାହିନୀର ଏହି ଅତୁଳନୀୟ ମାନବୀୟ ସେବା ପାଇଁ ଶ୍ରୀ ପାଣ୍ଡିଆନ ସେମାନଙ୍କୁ ସଲାମ ଜଣାଇଛନ୍ତି। ଭେନେଜୁଏଲାରେ ଶୀଘ୍ର ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରିଆସୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।
