ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର।ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକ ଯାଞ୍ଚରେ ଏତେ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଛି, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ଲେଖିଛନ୍ତି। ପ୍ରକୃତ ଭୋଟର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇପାରନ୍ତି। ଏହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସୂଚନାମୁତାବକ ଏସଆଇଆର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ୩ ମାସରେ ପ୍ରାୟ ୯ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ନାଁ କଟାଯାଇଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ଏଥିରେ ଅନେକ ତ୍ରୁଟି ନେଇ ଅଭିଯୋଗ ମିଳିଛି। ଅନେକ ମାମଲାରେ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ସହିତ ବିଏଲଓ (BLO)ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୬ ମସିହା ଏପ୍ରିଲ୍ ୨ ପରେ କଟି ଯାଇଥିବା ୨ ଲକ୍ଷ ଭୋଟରଙ୍କ ନାଁକୁ ସ୍ଥଗିତ ରଖାଯାଇଛି।
