ମାଗାବାଳି ନଦୀଗର୍ଭରେ ଆଡିବନ୍ଧ ନିର୍ମାଣକୁ ନେଇ ବିବାଦ, ନଈର ଗତିପଥ କେହି ବଦଳାଇ ପାରିବେନି କି ବାଲିବସ୍ତା ପକାଇ ପାରିବେନି; ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ: ଉପଜିଲ୍ଲାପାଳ।

ରାୟଗଡ଼ା ଜିଲ୍ଲାର ମାଗାବାଳି ନଦୀଗର୍ଭରେ ଜେକେ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଇ ଆଡିବନ୍ଧ ନିର୍ମାଣ କରାଯାଉଥିବା ଅଭିଯୋଗକୁ ନେଇ ବିବାଦ ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏହା ଫଳରେ ନଦୀର ସ୍ୱାଭାବିକ ଗତିପଥ ବଦଳୁଛି, ତଳମୁଣ୍ଡ ଅଞ୍ଚଳକୁ ପାଣି ପହଞ୍ଚୁନାହିଁ ଏବଂ ଚାଷଜମି କ୍ଷତିଗ୍ରସ୍ତ ହେଉଛି। ତେବେ ଏହି ଅଭିଯୋଗକୁ ଜେକେ ପେପର୍ ମିଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି, କେହି ନଦୀର ଗତିପଥ ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ବାଲିବସ୍ତା ପକାଇ ବନ୍ଧ ନିର୍ମାଣ କରିପାରିବେ ନାହିଁ। ଅଭିଯୋଗର ସତ୍ୟତା ମିଳିଲେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନିଆଯିବ।ମାଗାବାଳି ନଦୀଗର୍ଭରେ ବାଲିବସ୍ତା ପକାଇ ବ୍ୟାପକ ଭାବେ କାମ ଚାଲିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଘଟଣାସ୍ଥଳରେ ଶତାଧିକ ଶ୍ରମିକ କାମ କରୁଥିବା ବେଳେ ପ୍ଲାଣ୍ଟର ଅଧିକାରୀ ଓ ପିଆରଓ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି କାମ ଫଳରେ ନଦୀର ସ୍ୱାଭାବିକ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି ଓ ତଳମୁଣ୍ଡ ଅଞ୍ଚଳକୁ ପାଣି ପହଞ୍ଚୁନାହିଁ। ଚାଷଜମି ଜଳ ଅଭାବରେ ପ୍ରଭାବିତ ହେଉଥିବା ସହ ଗାଈଗୋରୁଙ୍କ ପାଇଁ ପାଣି ସମସ୍ୟା ଦେଖାଦେଇଛି। ଏହାସହ ପ୍ଲାଣ୍ଟରୁ ବିଷାକ୍ତ ଜଳ ନଦୀକୁ ଛଡ଼ାଯାଉଥିବାରୁ ପଶୁ ମୃତ୍ୟୁ ଓ ଲୋକମାନେ ଚର୍ମରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି ସ୍ଥାନୀୟ ବାସିନ୍ଦା। ନଦୀଗର୍ଭରେ ଏଭଳି ବନ୍ଧ ନିର୍ମାଣ ବେଆଇନ ବୋଲି ସେମାନେ ଦାବି କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବନ୍ଧ ନିର୍ମାଣ ପରେ ନଦୀର ଉଭୟ ପାର୍ଶ୍ୱରେ କୂଳ ଖାଉଥିବାରୁ ଚାଷଜମି ନଦୀଗର୍ଭରେ ଲୀନ ହେଉଛି। ସବାନା ପେଦେଇଣ୍ଟିଙ୍କ ପ୍ରାୟ ୭ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଜେକେ ପେପର୍ ମିଲ୍ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ପିଆରଓଙ୍କ କହିବା ଅନୁସାରେ, କମ୍ପାନୀ କୌଣସି ଆଡିବନ୍ଧ ନିର୍ମାଣ କରୁନାହିଁ। ପ୍ଲାଣ୍ଟକୁ ପାଣି ଯିବାରେ ବାଧା ସୃଷ୍ଟି କରୁଥିବା ବାଲିକୁ କେବଳ ହଟାଯାଉଛି। ନଦୀର ଗତିପଥ ପରିବର୍ତ୍ତନ କିମ୍ବା ବନ୍ଧ ନିର୍ମାଣ କରାଯାଉନଥିବା ଦାବି କରିଛନ୍ତି ସେ। ତେବେ ଘଟଣାସ୍ଥଳର ଦୃଶ୍ୟ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ କ୍ୟାମେରା ସାମ୍ନାରୁ ଚାଲିଯାଇଥିଲେ।
ଘଟଣାସ୍ଥଳର ଦୃଶ୍ୟରେ ବାଲିବସ୍ତା ଭରାଯାଉଥିବା, ସେଗୁଡ଼ିକୁ ନଦୀ ମଝିରେ ସଜାଯାଉଥିବା ଏବଂ ବହୁ ସଂଖ୍ୟକ ଶ୍ରମିକ କାମରେ ନିୟୋଜିତ ଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ଆହୁରି ବଢ଼ିଛି। ଏହା ପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ହୋଇଥିଲା। ସେତେବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଏଭଳି କାମ ନ କରିବାକୁ ତାଗିଦ କରାଯାଇଥିଲା ବୋଲି ରାୟଗଡ଼ା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା କହିଛନ୍ତି। ଆମ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ କହିଛନ୍ତି, ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାର ତଦନ୍ତ କରିବ। ନଦୀର ଗତିପଥ କେହି ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ବାଲିବସ୍ତା ପକାଇ ବନ୍ଧ ନିର୍ମାଣ କରିପାରିବେ ନାହିଁ। ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ନିଶ୍ଚିତ ଭାବେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ନିଷ୍ପତ୍ତି ନେବ।

ଅଧିକ ପଢନ୍ତୁ