ରକେଟ୍‌ ବିକ୍ରମ-୧ ଉତକ୍ଷେପଣ ସ୍ଥଗିତ । ଏହି ନିଷ୍ପତ୍ତି ପଛର ସଠିକ୍ କାରଣ ଜଣା ପଡ଼ିନାହିଁ 

ଭାରତର ପ୍ରଥମ ବେସରକାରୀ କକ୍ଷପଥ ରକେଟ୍ ବିକ୍ରମ-୧ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି । ନିର୍ଦ୍ଧାରିତ ଉତକ୍ଷେପଣ ସମୟର ପ୍ରାୟ ୫ ମିନିଟ୍ ପୂର୍ବରୁ କାଉଣ୍ଟଡାଉନ୍ ବନ୍ଦ କରାଯାଇଥିଲା । ଏହି ନିଷ୍ପତ୍ତି ପଛର ସଠିକ୍ କାରଣ ସମ୍ପର୍କରେ ତୁରନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ ।ହାଇଦ୍ରାବାଦର ମହାକାଶ ଷ୍ଟାର୍ଟଅପ୍ ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ବେସରକାରୀ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ ତାର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଭରିବାର ଥିଲା।  ଏହି ଐତିହାସିକ ଅଭିଯାନର ନାମ ‘ମିଶନ୍ ଆଗମନ’ ରଖାଯାଇଛି । କାର୍ବନ-କମ୍ପୋଜିଟ୍ ରେ ତିଆରି ଏହି ରକେଟର ଉଚ୍ଚତା ପ୍ରାୟ ୨୦ ରୁ ୨୪ ମିଟର। ଏହା ଏକ ୪-ଷ୍ଟେଜ୍ ରକେଟ୍ ।  ଏହାର ପ୍ରଥମ ତିନୋଟି ସ୍ତରରେ କଠିନ ଇନ୍ଧନ ଏବଂ ଶେଷ ସ୍ତରରେ ପୁନଃ-ଚାଳିତ ତରଳ ଇନ୍ଧନ ରହିଛି । ଏଥିରେ ରମଣ ଇଞ୍ଜିନ ବ୍ୟବହାର କରାଯାଇଛି । ଯାହା ଉପଗ୍ରହକୁ ସଠିକ୍ କକ୍ଷପଥରେ ସ୍ଥାପିତ କରିବାରେ ସାହାଯ୍ୟ କରିବ। ଏହା ୩୫୦ ରୁ ୪୮୦ କିଲୋଗ୍ରାମ ଓଜନର ପେଲୋଡ୍ କୁ ପୃଥିବୀର ନିମ୍ନ କକ୍ଷପଥକୁ ନେଇପାରିବ ।  ୪୫୦ କିଲୋମିଟର ଉଚ୍ଚତାରେ ଏଲଇଓର ୬୦° କୋଣରେ ଉପଗ୍ରହ ସ୍ଥାପନ କରିବ । ତେବେ ଉତକ୍ଷେପଣ ସ୍ଥଗିତ ହେବା ପରେ ସଂସ୍ଥା ପକ୍ଷରୁ ନୂଆ ତାରିଖ କେବେ ଘୋଷଣା କରାଯିବ, ସେନେଇ ଅପେକ୍ଷା ରହିଛି । ବିଶେଷଜ୍ଞଙ୍କ ମତରେ, ଏଭଳି ମିଶନରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଏ ଏବଂ ସାମାନ୍ୟ ବୈଷୟିକ ତ୍ରୁଟି ଦେଖାଦେଲେ ମଧ୍ୟ ଉତକ୍ଷେପଣ ସ୍ଥଗିତ କରାଯାଇଥାଏ ।

ଅଧିକ ପଢନ୍ତୁ