
ନୟାଗଡ଼ (ଓଡ଼ିଶା ଦର୍ପଣ): ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ନାଟକ ବହି ‘ଆହେ ନୀଳ ଶଇଳ’ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’କୁ ଆଧାର କରି ଏହି ନାଟକଟି ରଚିତ ହୋଇଛି। ନାଟ୍ୟକାର ଦମ୍ପତି ପ୍ରତିମା ହୋତା ଓ ଶଙ୍କର ତ୍ରିପାଠୀ ଏହାର ନାଟ୍ୟରୂପ ପ୍ରଦାନ କରିଛନ୍ତି।
ଏହି ନାଟକଟି ଗଜପତି ରାମଚନ୍ଦ୍ର ଦେବଙ୍କ ଶାସନକାଳର ଏକ ଲୋମହର୍ଷଣକାରୀ ଐତିହାସିକ ଘଟଣାବଳୀ ଉପରେ ପର୍ଯ୍ୟବସିତ।ଗଜପତି ରାମ ଦେବଙ୍କ ଶାସନ ସମୟ ରେ କଟକର ନବାବ ତକୀ ଖାଁ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଛି, ସେବାୟତ ମାନେ ଗଜପତିଙ୍କ ଆଦେଶ କ୍ରମେ ଚିଲିକା ଟାପୁ ଭିତରେ ନେଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଲୁଚେଇ ରଖିଛନ୍ତି, ଗଜପତି ରାମଚନ୍ଦ୍ର ଦେବ ତକି ଖାଁର ଭଉଣୀ ରିଯିଆଙ୍କୁ ବିବାହ କରି ହାପିଜ୍ କାଦର୍ ବେଗ ହୋଇଥିଲେ ମଧ୍ୟ, ଶ୍ରୀ ଜଗନ୍ନାଥଙ୍କ ପ୍ରତି ଭକ୍ତି କମିନାହିଁ । ଗଜପତି ପୁଣି ଚିଲିକାରୁ ଶ୍ରୀମନ୍ଦିରକୁ ସୁରକ୍ଷା ସହ ବାହୁଡ଼ି ନେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ । ପୁଣି ଶ୍ରୀ ମନ୍ଦିର ଭିତରକୁ କଣ ଗଜପତି ପ୍ରବେଶ କରିଛନ୍ତି ? ବକ୍ସି ବେଣୁ ଭ୍ରମର ବର କାହିଁକି ଗଜପତି ଙ୍କ ସହ ବିଶ୍ୱାସ ଘାତକ କରିଲେ, ରାଣୀ ଲଳିତା ପାଟଦେଈ କାହିଁକି ବିଷ ପାନ କରି ଆତ୍ମହତ୍ୟା କରିଲେ, ସରଦେଇ ଜଗୁନିର କି ସମ୍ପର୍କ, ଏହିଭଳି ଏକ ଐତିହାସିକ ନାଟକ ଆହେ ନୀଳ ଶଇଳ ଆସନ୍ତା ଅକ୍ଟୋବର ମାସରେ ନୟାଗଡ ରେ ଅନୁଷ୍ଠିତ ହେବ । ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ନାଟକ ବହିକୁ ପବିତ୍ର ରଥ ଯାତ୍ରାରେ ପୂଜା କରାଯାଇଛି ।

କଟକର ନବାବ ତକୀ ଖାଁଙ୍କ ମନ୍ଦିର ଆକ୍ରମଣ, ସେବାୟତଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚିଲିକା ମଧ୍ୟରେ ସୁରକ୍ଷିତ ରଖିବା ଏବଂ ଗଜପତିଙ୍କ ଧର୍ମ ନିରପେକ୍ଷତା ସହ ଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଅନନ୍ୟ ଭକ୍ତିର ଚିତ୍ର ଏଥିରେ ପ୍ରତିଫଳିତ ହେବ। ରାଣୀ ଲଳିତା ପାଟଦେଈଙ୍କ ଆତ୍ମହତ୍ୟା, ବକ୍ସି ବେଣୁ ଭ୍ରମରବରଙ୍କ ବିଶ୍ୱାସଘାତକତା ଏବଂ ଜଗୁନିର ସମ୍ପର୍କ ଭଳି ରହସ୍ୟମୟ ଓ ଐତିହାସିକ ପ୍ରସଙ୍ଗ ଏହି ନାଟକକୁ ଅଧିକ ଜୀବନ୍ତ କରିବ।
ଆସନ୍ତା ଅକ୍ଟୋବର ମାସରେ ନୟାଗଡ଼ଠାରେ ଏହି ନାଟକଟି ମଞ୍ଚସ୍ଥ ହେବ। ନାଟକରେ ଅଭିନୟ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିଭାବାନ କଳାକାରଙ୍କୁ ଚୟନ କରାଯାଇଛି। ରାକେଶ ମହାନ୍ତି, ତନୁଜ ଆଚାର୍ଯ୍ୟ, ଉତ୍ପଳ କୁମାର ସାହୁ, ଯଜ୍ଞ ନାରାୟଣ ପାତ୍ର, ଉମାଶଙ୍କର ମିଶ୍ର, ନିଶିକାନ୍ତ ମହାପାତ୍ର, ପ୍ରସନ୍ନ ସ୍ୱାଇଁ, ନୀଳକଣ୍ଠ ଦାଶ ଓ ଗତିକୃଷ୍ଣ ପ୍ରଧାନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଆଗାମୀ ଦିନରେ ଅନ୍ୟ କିଛି ଯୁବ କଳାକାରଙ୍କୁ ମଧ୍ୟ ଅଭିନୟ ପାଇଁ ସୁଯୋଗ ଦିଆଯିବ। ନାଟକର ବ୍ୟବସ୍ଥାପନା ଦାୟିତ୍ୱରେ ଯୁବ ସାମ୍ବାଦିକ ତଥା ଅଭିନେତା ଉତ୍ପଳ କୁମାର ସାହୁ ରହିଛନ୍ତି।
ନାଟକ ପୁସ୍ତକ ପୂଜା ଅବସରରେ ବରିଷ୍ଠ ନାଟ୍ୟକାର ଡ. ବିଜୟ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଓ ନାଟ୍ୟ ସଂଗଠକ ମି.କାଳିଆ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ‘ଶ୍ରେୟ ତରଙ୍ଗ’ ଓ ନୟାଗଡ଼ ଜିଲ୍ଲାର କଳାକାରମାନଙ୍କ ମିଳିତ ସହଯୋଗରେ ଏହି ନାଟକଟି ମଞ୍ଚସ୍ଥ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
