ରାୟଗଡ଼ରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ : ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସୂଚନା

ରାୟଗଡ଼, ମେ ୨୯: ରାୟଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ସୁଚାରୁ ଭାବେ କାର୍ଯ୍ୟକରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଳକର୍ଣ୍ଣୀ ଏହି ସଂଶୋଧନ ପ୍ରକ୍ରିୟା, ଏହାର ସମୟସୀମା ଓ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ୦୧ ଜୁଲାଇ ୨୦୨୬ କୁ ଯୋଗ୍ୟତା ଅର୍ଜନ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ନୂତନ ଭୋଟରମାନେ ଏହି ସମୟ ମଧ୍ୟରେ ନିଜ ନାମ ପଞ୍ଜୀକରଣ କରିପାରିବେ ବୋଲି ସେ କହିଥିଲେ।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗତ ମେ ୨୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରାଥମିକ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ ମେ ୨୯ ତାରିଖରେ ଶେଷ ହେଉଛି। ଏହାପରେ ଆସନ୍ତା ମେ ୩୦ ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ଭୋଟରମାନଙ୍କ ତଥ୍ୟର ସତ୍ୟାପନ କାର୍ଯ୍ୟ କରିବେ। ଏହି ସମୟ ମଧ୍ୟରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିଯୁକ୍ତକରଣ (Rationalization) କାର୍ଯ୍ୟ ମଧ୍ୟ ସମ୍ପନ୍ନ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ।

ସେହିପରି ଆସନ୍ତା ଜୁଲାଇ ୫ ତାରିଖରେ ରାୟଗଡ଼ା ଜିଲ୍ଲାର ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ପାଇବ। ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତା ନୂତନ ନାମ ପଞ୍ଜୀକରଣ, ସଂଶୋଧନ ଓ ଆପତ୍ତି ସମ୍ବନ୍ଧୀୟ ଦାବି ଦାଖଲ କରିପାରିବେ। ଏହି ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଓ ନୋଟିସ୍ ପ୍ରକ୍ରିୟା ଜୁଲାଇ ୫ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବ। ପରେ ସମସ୍ତ ଆପତ୍ତିର ସମାଧାନ କରାଯାଇ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା (Final Electoral Roll) ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ନିମନ୍ତେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ଆଦର୍ଶ ପରିଚାଳନା ପଦ୍ଧତି (SOP) ମଧ୍ୟ ଜାରି କରାଯାଇଛି। ଏହାଅନୁଯାୟୀ BLO ମାନେ ନିଜ ଅଞ୍ଚଳର ପ୍ରତ୍ୟେକ ପରିବାରକୁ ଯାଇ ଭୋଟର ତାଲିକାର ଭୌତିକ ସତ୍ୟାପନ କରିବେ। ତାଲିକାରେ ଥିବା ଅନୁପସ୍ଥିତ (Absent), ସ୍ଥାନାନ୍ତରିତ (Shifted) ଓ ମୃତ (Dead) ଭୋଟରଙ୍କୁ ଚିହ୍ନଟ କରି ପୃଥକ ତାଲିକା ପ୍ରସ୍ତୁତ କରାଯିବ। ସେହିପରି ନୂତନ ଭୋଟରଙ୍କ ପଞ୍ଜୀକରଣ ପାଇଁ ଫର୍ମ-୬, ନାମ ବାଦ୍ ପାଇଁ ଫର୍ମ-୭ ଏବଂ ସଂଶୋଧନ ପାଇଁ ଫର୍ମ-୮ ବଣ୍ଟନ ଓ ସଂଗ୍ରହ କରାଯିବ।

ମତଦାନ କେନ୍ଦ୍ରଗୁଡ଼ିକର ସୁବିଧା, ଦୂରତା ଓ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ପହଞ୍ଚଗମ୍ୟତାକୁ ମଧ୍ୟ BLO ମାନେ ଯାଞ୍ଚ କରିବେ। ଏହାଦ୍ୱାରା ମତଦାନ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ ଓ ଅନ୍ତର୍ଭୁକ୍ତିମୂଳକ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସାମ୍ବାଦିକ ସମ୍ମିଳନୀ ଶେଷରେ ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣୀ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ, ସେମାନେ BLO ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକାକୁ ଯାଞ୍ଚ କରି ନିଜର ଗଣତାନ୍ତ୍ରିକ ଅଧିକାରକୁ ସୁନିଶ୍ଚିତ କରନ୍ତୁ।

ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ମାନୁଏଲା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

kc ads