ଦେଶର ସଂସଦୀୟ ନିର୍ବାଚନରେ ଶାସକ ୟୁନାଇଟେଡ୍ ରୁଷିଆ ଦଳ ଏକ ସହଜ ବିଜୟ ପାଇଁ ରାସ୍ତା ପରିଷ୍କାର କରିଛି। ଆଂଶିକ ସରକାରୀ ଫଳାଫଳ ଦର୍ଶାଉଛି ଯେ, ଦେଶରେ କୌଣସି ପ୍ରକୃତ ବିରୋଧୀ ଦଳ ନଥିବାରୁ ଶାସକ ଦଳ ୫୭.୫ ପ୍ରତିଶତ ଭୋଟ ପାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ବାଚନକୁ ତାଙ୍କ ନୀତି ଏବଂ ୟୁକ୍ରେନରେ ଯୁଦ୍ଧ ପାଇଁ ଜନସମର୍ଥନର ପରୀକ୍ଷା ଭାବରେ ଦେଖୁଛନ୍ତି। ଫେବ୍ରୁଆରି ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ଆରମ୍ଭ କରିବା ପରେ ଏହି ଭୋଟ ପ୍ରଥମ ସଂସଦୀୟ ନିର୍ବାଚନ। କମ୍ୟୁନିଷ୍ଟ, ଏଲଡିପିଆର, ନ୍ୟୁ ପିପୁଲ ଏବଂ ଜଷ୍ଟ ରୁଷିଆ ସମେତ ଅନ୍ୟ ଦଳଗୁଡ଼ିକ ନିର୍ବାଚନ ମଇଦାନରେ ଥିଲେ ମଧ୍ୟ ୪୫୦ ସଦସ୍ୟ ବିଶିଷ୍ଟ ଷ୍ଟେଟ୍ ଡୁମାରେ ଶାସକ ଦଳର ବିଜୟ ନିଶ୍ଚିତ ହୋଇଛି। ମଇଦାନରେ ଥିବା ଅନ୍ୟ ଦଳଗୁଡ଼ିକର ଦୁର୍ବଳ ସ୍ଥିତି ତଥା ପୁଟିନଙ୍କୁ ସେମାନେ ବିଭିନ୍ନ ସମୟରେ ସମର୍ଥନ ଦେଉଥିବାରୁ ଦେଶ ବିରୋଧୀ ଶୂନ୍ୟ ହୋଇଛି। ଅନ୍ୟପଟେ ରୁଷର ରାଜଧାନୀ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନ ବଡ଼ଧରଣର ଦୂରଗାମୀ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ମସ୍କୋର ଏକ ପ୍ରମୁଖ ତୈଳ ବିଶୋଧନାଗାର ଏବଂ ରୁଷର ଏକ ଲଜିଷ୍ଟିକ୍ସ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ ଦାବି କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ମସ୍କୋ ଅଞ୍ଚଳରେ ୟୁକ୍ରେନର ଦୂରଗାମୀ ଆକ୍ରମଣର ବଡ଼ ପ୍ରଭାବ ପଡ଼ିଛି।
ରୁଷର ତୈଳ ଶିଳ୍ପ ସହ ଜଡ଼ିତ ଏକ ପ୍ରମୁଖ କେନ୍ଦ୍ର ଏବଂ ଯୁଦ୍ଧ ସାମଗ୍ରୀ ପରିବହନରେ ବ୍ୟବହୃତ ଏକ ଲଜିଷ୍ଟିକ୍ସ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଛି । ଏଭଳି କେନ୍ଦ୍ରରୁ ମିଳୁଥିବା କୋଟି କୋଟି ଡଲାର ରୁଷର ଯୁଦ୍ଧ ବ୍ୟବସ୍ଥାକୁ ଚଳାଇବାରେ ସହାୟକ ହେଉଥିବା ରାଷ୍ଟ୍ରପତି କହିଛନ୍ତି । ୟୁକ୍ରେନ ସେନାର ଜେନେରାଲ୍ ଷ୍ଟାଫ୍ ଅନୁସାରେ, ଆକ୍ରମଣର ପ୍ରମୁଖ ଲକ୍ଷ୍ୟ ଥିଲା କାପୋତନ୍ୟାସ୍ଥିତ ଗାଜପ୍ରମ୍ ନେଫ୍ଟ ମସ୍କୋ ଅଏଲ୍ ରିଫାଇନାରୀ । ଏହା କ୍ରେମଲିନ୍ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ।
