ରେଭେନ୍ସାବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମହଲରେ ସୃଷ୍ଟି ହୋଇଥିବା ବିବାଦ ଓ ଅସନ୍ତୋଷ ଘନେଇବାରେ ଲାଗିଛି। ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ଅଧ୍ୟାପକ ଆଜି ସମୂହ ଛୁଟିରେ ଯିବା ସହିତ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସାମୂହିକ କ୍ଷୋଭ ଓ ନିଜ ଦାବି ପ୍ରତି ଦୃଢ଼ ସଂକଳ୍ପର ପରିପ୍ରକାଶ ସ୍ୱରୂପ ଏହି ଆନ୍ଦୋଳନ କରିବେ । ରକ୍ଷାବନ୍ଧନ ଅବସରରେ ଶିକ୍ଷକମାନେ କଳା ବ୍ୟାଜ୍ ପିନ୍ଧି ନିଜର ଏକତା ଓ ପ୍ରତିବାଦ ଜାହିର କରିବେ। ରେଭେନ୍ସାରେ ଚଳିତ ମାସ ଆରମ୍ଭରୁ ଏହି ବିବାଦ ଲାଗି ରହିଛି । ଅଗଷ୍ଟ ୩ରେ ଇଷ୍ଟ ହଷ୍ଟେଲର ଛାତ୍ର ଆନ୍ଦୋଳନକୁ ନେଇ ହୋଇଥିବା ଆଲୋଚନା ବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ତତ୍କାଳୀନ ଚିଫ୍ ୱାର୍ଡେନ୍ ତଥା ବରିଷ୍ଠ ଅଧ୍ୟାପକ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା । RUTA ବିଧାୟକଙ୍କ ବିରୋଧରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ଅସମ୍ମାନ କରିବାର ଅଭିଯୋଗ ଆଣିଥିଲା ।ମାତ୍ର ଏ ଦିଗରେ ରେଭେନ୍ସା କର୍ତ୍ତୃପକ୍ଷ କୌଣସି ଉଦ୍ୟମ ନକରି ବିଶ୍ବବିଦ୍ୟାଳୟର ଚିଫ୍ ୱାର୍ଡେନ୍ଙ୍କ ସହିତ ସମସ୍ତ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇ ଦେବାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ରେଭେନ୍ସା ପରିସରରେ ଅଧ୍ୟାପକଙ୍କୁ ସମ୍ମାନର ସହିତ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ରାଜନୈତିକ ଚାପକୁ ଦୂରେଇ ରଖିବାକୁ ସଂଘ ପୂର୍ବରୁ ଦାବି କରଥିଲା। ହେଲେ ରେଭେନ୍ସା କର୍ତ୍ତୃପକ୍ଷ ଏହି ସମସ୍ତ କ୍ଷେତ୍ରରେ ନିରବ ଥିବାରୁ ଆଜି ଶିକ୍ଷକ ସଂଘ ଏଭଳି ପଦକ୍ଷେପ ନେଇଛି।
