ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ସ୍ବାଧୀନତା ଦିବସରେ ‘ବନ୍ଦେ ମାତରମ୍’ ଗାନ

ଆଜି ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ । ସବୁଠି ଆନନ୍ଦ, ଉତ୍ସାହ-ଉଲ୍ଲାସ । ସବୁଠି ଫର ଫର ହୋଇ ଉଡୁଛି ଜାତୀୟ ପତାକା । ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ସ୍ବାଧୀନତା ଦିବସ ସମାରୋହରେ ବନ୍ଦେ ମାତରମ୍ ଗାନ ହୋଇଛି । ଲ୍ଲାଲକିଲ୍ଲାରୁ ଶୁଭିଲା ବନ୍ଦେ ମାତରମ୍ ।ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ବିଶେଷ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଲାଲକିଲ୍ଲାର ପ୍ରାଚୀରକୁ ଫୁଲରେ ସଜାଯାଇଥିଲା। ମଝିରେ ଜାତୀୟ ପତାକା ଥିବାବେଳେ ଏହାର ଉଭୟ ପାର୍ଶ୍ୱରେ ହିନ୍ଦୀରେ ‘ବନ୍ଦେ ମାତରମ୍’ ଲେଖାଯାଇଥିଲା।ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମୟରେ ଭାରତକୁ ବିଶ୍ୱର ‘Fragile Five’ ଅର୍ଥାତ୍ ଦୁର୍ବଳ ଅର୍ଥନୀତି ଥିବା ପାଞ୍ଚଟି ଦେଶ ମଧ୍ୟରେ ଗଣାଯାଉଥିଲା । କିନ୍ତୁ ମାତ୍ର ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଦ୍ରୁତତମ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି ସେ ଦାବି କରିଛନ୍ତି । ଏହି ପରିବର୍ତ୍ତନ ପଛରେ ଦେଶର ୧୪୦ କୋଟି ଲୋକଙ୍କ ପରିଶ୍ରମ, ସଂକଳ୍ପ ଓ ସାମୂହିକ ପ୍ରୟାସ ରହିଛି ବୋଲି ମୋଦୀ କହିଛନ୍ତି ।ଗତ ୧୨ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବଢ଼ିଛି, ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦନ ୫ ଗୁଣ ବଢ଼ିଛି ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୭ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ମୋବାଇଲ୍‌ ଫୋନ୍‌ ଉତ୍ପାଦନ ମଧ୍ୟ ୩୩ ପ୍ରତିଶତ ବଢ଼ିଥିବା ଦାବି କରିଛନ୍ତି ।ଡିଜିଟାଲ୍‌ ଇଣ୍ଡିଆର ପ୍ରସାରକୁ ମଧ୍ୟ ଭାଷଣରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଡିଜିଟାଲ୍‌ ଲେନଦେନରେ ବଡ଼ ବୃଦ୍ଧି ହୋଇଥିବା ସହ ପାଇପ୍‌ ଯୋଗେ ପାନୀୟ ଜଳ, LPG ସଂଯୋଗ ଏବଂ ଶୌଚାଳୟ ନିର୍ମାଣ ଭଳି ମୌଳିକ ସୁବିଧାର ବିସ୍ତାର ହୋଇଥିବା ସେ କହିଛନ୍ତି ।

ଅଧିକ ପଢନ୍ତୁ