ସହରରେ ଜମି କିସମ ପରିବର୍ତ୍ତନ ନିୟମ ହେବ ସହଜ ! ଆସିପାରେ ଭୂ-ସଂସ୍କାର ସଂଶୋଧନ ବିଲ୍

ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର ପାଇଁ ଏଣିକି ଅଲଗା ଭାବେ ରାଜସ୍ୱ ବିଭାଗର ଅନୁମତି ନେବାକୁ ପଡ଼ିନପାରେ । ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ଜମି ମାଲିକଙ୍କୁ ଗୃହ ନିର୍ମାଣ କିମ୍ବା ଲେଆଉଟ ଅନୁମୋଦନ ପାଇଁ ପୌରସଂସ୍ଥା ବା ବିକାଶ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ ପଡୁଛି । ଏହା ସହିତ କୃଷି ଜମିକୁ ଅଣକୃଷି ଜମିରେ ପରିବର୍ତ୍ତନ ପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନର ଧାରା ୮-ଏ ଅନୁଯାୟୀ ରାଜସ୍ୱ ବିଭାଗରେ ପୃଥକ ଆବେଦନ କରିବାକୁ ପଡ଼ୁଛି । ପ୍ରସ୍ତାବିତ ସଂଶୋଧନରେ ଏହି ଦୁଇଟି ସମାନ୍ତରାଳ ପ୍ରକ୍ରିୟାକୁ ଗୋଟିଏ ବ୍ୟବସ୍ଥାରେ ଆଣିବାକୁ ଯୋଜନା କରାଯାଇଛି । ନୂଆ ବ୍ୟବସ୍ଥା ଲାଗୁ ହେଲେ ପୌରସଂସ୍ଥା, ମହାନଗର ନିଗମ କିମ୍ବା ସମ୍ପୃକ୍ତ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ଜମିର ନିର୍ମାଣ ଯୋଜନା ଅନୁମୋଦନ ସମୟରେ ହିଁ ଜମି ପରିବର୍ତ୍ତନ ଫି’ ଆଦାୟ କରିବେ ।ଆଦାୟ ହୋଇଥିବା ଅର୍ଥ ସରକାରୀ ତହବିଲରେ ଜମା ହେବ । ଏହାର ସୂଚନା ଇଲେକ୍ଟ୍ରୋନିକ ମାଧ୍ୟମରେ ରାଜସ୍ୱ ବିଭାଗକୁ ପଠାଯିବ । ପରେ ସମ୍ପୃକ୍ତ ରାଜସ୍ୱ ଅଧିକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜମିର ରେକର୍ଡ ଅଫ୍‌ ରାଇଟ୍ସ (RoR)ରେ ଜମିର କିସମକୁ ଅଣକୃଷି ଭାବେ ଅଦ୍ୟତନ କରିବେ । ଏଥିପାଇଁ ଜମି ମାଲିକଙ୍କୁ ପୁଣି ଥରେ ଅଲଗା ଆବେଦନ କରିବାକୁ ପଡ଼ିବ ନାହିଁ । ତେବେ ଏହି ସୁବିଧା ସମସ୍ତ ଜମି ପାଇଁ ପ୍ରଯୋଜ୍ୟ ହେବ ନାହିଁ । ଜମିର ପ୍ରସ୍ତାବିତ ବ୍ୟବହାର ଅନୁମୋଦିତ ବିଲ୍ଡିଂ ପ୍ଲାନ, ମାଷ୍ଟର ପ୍ଲାନ, ଲେଆଉଟ, ଡେଭଲପମେଣ୍ଟ ପ୍ଲାନ କିମ୍ବା ଟାଉନ୍‌ ପ୍ଲାନିଂ ଯୋଜନା ସହ ସମନ୍ୱିତ ହେବା ଆବଶ୍ୟକ । ଏଭଳି ଯୋଜନା ନଥିଲେ ପ୍ରଚଳିତ ସ୍ଥାନୀୟ ଉପନିୟମ ଓ ନିୟମାବଳୀ ଅନୁଯାୟୀ ଜମିର ବ୍ୟବହାର ନିର୍ଦ୍ଧାରଣ ହେବ ।ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ସହରାଞ୍ଚଳରେ ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାରେ ଏକ ବଡ଼ ପ୍ରଶାସନିକ ସରଳୀକରଣ ଆଣିବାର ଲକ୍ଷ୍ୟ ରଖିଛି । ଏହା ଲାଗୁ ହେଲେ ଜମି ମାଲିକଙ୍କୁ ନିର୍ମାଣ ଅନୁମୋଦନ ଓ ଜମି କିସମ ପରିବର୍ତ୍ତନ ପାଇଁ ଦୁଇଟି ଭିନ୍ନ ବିଭାଗରେ ଦୌଡ଼ିବାକୁ ପଡ଼ିବ ନାହିଁ ।

ଅଧିକ ପଢନ୍ତୁ