୨୧ ଲକ୍ଷ ଫଲୋଅର୍ସ: ନିର୍ବାଚନରେ ରିଲ୍‌ ଷ୍ଟାର୍ ପାଇଲେ ମାତ୍ର ୩୩ଟି ଭୋଟ୍

ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ଫଲୋଅର୍ସ। ଭିଡିଓରେ ହଜାର ହଜାର ଲାଇକ୍ ଓ କମେଣ୍ଟ୍। ତଥାପି ରିଏଲ ଦୁନିଆରେ ଚାଲିଲାନି ରିଲ୍ ଷ୍ଟାରଙ୍କ କମାଲ।ରାଜସ୍ଥାନର ଯୋଧପୁର ଜିଲ୍ଲା ଅନ୍ତର୍ଗତ ଓସିଆନ୍ ତହସିଲର ‘ଇନ୍ଦୋନ୍ କି ଢାନି-୨’ ଗ୍ରାମ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ଲଢ଼ିଥିବା ଓମପ୍ରକାଶ ବିଷ୍ଣୋଇଙ୍କ କ୍ଷେତ୍ରରେ ଠିକ୍ ଏପରି ହିଁ ଘଟିଛି। ନିଜକୁ ଜ୍ୟୋତିଷ, ଇନଫ୍ଲୁଏନ୍ସର୍ (ପ୍ରଭାବଶାଳୀ ବ୍ୟକ୍ତିତ୍ୱ) ଏବଂ ୟୁଟ୍ୟୁବର୍ ବୋଲି ଦାବି କରୁଥିବା ବିଷ୍ଣୋଇଙ୍କର ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ୟୁଟ୍ୟୁବ୍‌ରେ ମୋଟ ୨.୧ ନିୟୁତ (୨୧ ଲକ୍ଷ) ଫଲୋର୍ସ ଅଛନ୍ତି। ତଥାପି, ୧,୬୦୦ ଯୋଗ୍ୟ ଭୋଟର ଥିବା ଏହି ଗାଁରେ ସେ ମାତ୍ର ୩୩ଟି ଭୋଟ୍ ପାଇପାରିଛନ୍ତି।ଜଣେ ରିଲ୍-ଷ୍ଟାର ଯେତେବେଳେ ସରପଞ୍ଚ ପାଇଁ ନିର୍ବାଚନ ଲଢିଲେ ଲାଗୁଥିଲା ପ୍ରତିଯୋଗିତା ଏକପାଖିଆ ହେବ। ଓମ ପ୍ରକାଶ ନିର୍ବାଚନ ପ୍ରଚାରରେ ନିଶାମୁକ୍ତି ଭଳି ସାମାଜିକ ପ୍ରସଙ୍ଗକୁ ନିଜର ମୁଖ୍ୟ ଏଜେଣ୍ଡା କରିଥିଲେ। ଏହା ସହ ଭୋଟରଙ୍କୁ ଆକର୍ଷିତ କରିବାକୁ ବାଣ୍ଟିଥିଲେ ଦେଶୀ ଘିଅରେ ତିଆରି ‘କାଜୁ କତଲି’। କିନ୍ତୁ ଯେତେବେଳେ ଭୋଟ ବାକ୍ସ ଖୋଲାଗଲା, ଫଳାଫଳ ଦେଖି ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ । କାରଣ ମୋଟ ୧୬୦୦ଟି ଭୋଟ୍ ପଡ଼ିଥିବା ବେଳେ ତାଙ୍କ ସମର୍ଥନରେ ପଡ଼ିଥିଲା ମାତ୍ର ୩୩ଟି ଭୋଟ୍।ଏହି ନିର୍ବାଚନ ମଇଦାନରେ ବିଷ୍ଣୋଇଙ୍କ ସମେତ ତିନି ଜଣ ପ୍ରାର୍ଥୀ ଥିଲେ। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ, ଯିଏ କି ଜଣେ ଶିକ୍ଷକ, ୫୨୭ ଟି ଭୋଟ୍ ପାଇଥିଲେ; ଅନ୍ୟପକ୍ଷରେ ବିଜୟୀ ପ୍ରାର୍ଥୀ ଜଣକ ଗାଡ଼ି ବ୍ୟବସାୟ କରନ୍ତି।୩୩ ଭୋଟ ମଧ୍ୟରୁ ୧୧ଖଣ୍ଡ ଭୋଟ ପରିବାର ଲୋକଙ୍କର

ଓମ ପ୍ରକାଶଙ୍କ କହିବା ଅନୁଯାୟୀ ତାଙ୍କୁ ମିଳିଥିବା ୩୩ଖଣ୍ଡ ଭୋଟ ମଧ୍ୟରୁ ୧୧ଟି ତାଙ୍କ ପରିବାରର ସଦସ୍ୟମାନେ ଦେଇଥିଲେ। ଅନ୍ୟ ଭୋଟଗୁଡ଼ିକ ତାଙ୍କ ବନ୍ଧୁ ଓ ନିକଟତର ଲୋକଙ୍କଠାରୁ ମିଳିଥିଲା ବୋଲି ସେ କହିଛନ୍ତି।ଏହି ନିର୍ବାଚନ ଫଳାଫଳ ଭବିଷ୍ୟତରେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଥିବା ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ଏକ ବଡ଼ ଶିକ୍ଷା। ଡିଜିଟାଲ ଦୁନିଆରେ କେହି ବି ଯେତେ ଲୋକପ୍ରିୟ ହୁଅନ୍ତୁ ନା କାହିଁ, ଗଣତନ୍ତ୍ରର ପ୍ରକୃତ ନିଷ୍ପତ୍ତି ଗାଁର ଲୋକଙ୍କ ହାତରେ ଆଜି ବି ଅଛି।

ଅଧିକ ପଢନ୍ତୁ