୭୧ ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ପାଠପଢ଼ା, କେନ୍ଦ୍ରରୁ ୧୪୦.୭୪ କୋଟି ଟଙ୍କା ମଞ୍ଜୁର

ଓଡ଼ିଶାରେ ଯୁକ୍ତ ଦୁଇ ଶିକ୍ଷାର ସୁବିଧାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।। ସମଗ୍ର ଶିକ୍ଷା ଯୋଜନା (Samagra Shiksha Scheme) ଅଧୀନରେ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ (PAB) ଓଡ଼ିଶାରେ ୭୧ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବାକୁ ଅନୁମୋଦନ ଦେଇଛି । ଏଥିପାଇଁ ୧୪୦.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ସମ୍ପର୍କରେ ଅବଗତ କରାଇଛନ୍ତି। ସମଗ୍ର ଶିକ୍ଷାର ବାର୍ଷିକ କାର୍ଯ୍ୟଯୋଜନା ଓ ବଜେଟ୍‌ (AWP&B) ୨୦୨୬-୨୭ ଅନୁଯାୟୀ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଜିଲ୍ଲା ଅଧ୍ୟକ୍ଷଙ୍କ ସୁପାରିସ ଆଧାରରେ ଏହି ବିଦ୍ୟାଳୟଗୁଡ଼ିକୁ ଉନ୍ନୀତ କରିବା ପ୍ରସ୍ତାବକୁ ପିଏବି ଚୂଡ଼ାନ୍ତ ମଞ୍ଜୁରି ଦେଇଛି।ଏହି ଯୋଜନା ଅନୁଯାୟୀ ୬୦ଟି ବିଦ୍ୟାଳୟରେ କଳା (Arts) ବିଭାଗ ଏବଂ ୧୧ଟି ବିଦ୍ୟାଳୟରେ ବିଜ୍ଞାନ (Science) ବିଭାଗ ଆରମ୍ଭ ହେବ । ଯାହା ଫଳରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପଢ଼ିବା ପାଇଁ ଦୂର ସ୍ଥାନକୁ ଯିବାର ଆବଶ୍ୟକତା କମିବ । ତେବେ ଅନୁଗୋଳରେ ଗୋଟିଏ, ବଲାଙ୍ଗିରରେ 4ଟି, ବାଲେଶ୍ୱରରେ 6ଟି, ବରଗଡ଼ରେ 3ଟି, ଭଦ୍ରକରେ ଗୋଟିଏ, ଦେବଗଡ଼ରେ 2ଟି, ଢେଙ୍କାନାଳରେ 2ଟି, ଗଞ୍ଜାମରେ 12ଟି, ଯାଜପୁରରେ ଗୋଟିଏ, କଳାହାଣ୍ଡିରେ 3ଟି, କାନ୍ଧମାଳରେ ଗୋଟିଏ, କେନ୍ଦ୍ରାପଡ଼ାରେ 3ଟି, କେନ୍ଦୁଝରରେ 3ଟି, ଖୋର୍ଦ୍ଧାରେ 2ଟି, ମାଲକାନଗିରିରେ 6ଟି, ମୟୂରଭଞ୍ଜରେ 3ଟି, ନବରଙ୍ଗପୁରରେ 5ଟି, ନୟାଗଡ଼ରେ 2ଟି, ନୂଆପଡ଼ାରେ 3ଟି, ରାୟଗଡ଼ାରେ ଗୋଟିଏ, ସୁବର୍ଣ୍ଣପୁରରେ ଗୋଟିଏ, ସୁନ୍ଦରଗଡ଼ରେ 6ଟି ସ୍କୁଲ୍ ଅପଗ୍ରେଡ୍ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି ।

ଅଧିକ ପଢନ୍ତୁ