ବିଧାନସଭାରେ ଉଠିଲା ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ ଅର୍ଥ ହେରଫେର ପ୍ରସଙ୍ଗ । ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇନଥିବା ଏବଂ ଖର୍ଚ୍ଚର ହିସାବ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ତାଙ୍କ ଦାବିକୁ ଗ୍ରହଣ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତଦନ୍ତରେ ଅନିୟମିତତା ସାମ୍ନାକୁ ଆସିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।5T ଯୋଜନାରେ କରାଯାଇଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟ ପାଇଁ CSR ଫଣ୍ଡ, ଓମ୍ବାଡ୍ସି ଫଣ୍ଡ ଏବଂ ମନରେଗା ଅର୍ଥ ବିନିଯୋଗ କରାଯାଇଥିଲା। ଏହି ପ୍ରକଳ୍ପର ପ୍ରୋଜେକ୍ଟ କଷ୍ଟ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଥିବା ବେଳେ ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ଦାଖଲ ହୋଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ କେତେ ଟଙ୍କାର ୟୁସି ଦାଖଲ ହୋଇଛି, ତାହାର ସଠିକ୍ ହିସାବ ସଂଗ୍ରହ ହୋଇପାରିନଥିବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି।
