ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ବୋଲି ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।ମନ୍ତ୍ରୀ କହିଲେ, ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୫ ବର୍ଷ ଭିତରେ ଓଡ଼ିଶା, ଭାରତ ବର୍ଷର ସବୁ ରାଜ୍ୟଠାରୁ ଅଧିକ । ଓଡ଼ିଶାରେ ୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ।
ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି। କେଉଁଠାରେ କେବେ ବଜ୍ରପାତ ହେବ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ସଫଳ ହୋଇନାହାନ୍ତି। ଏନେଇ ଅନୁସନ୍ଧାନ ଜାରି ରହିଛି ।ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଗବେଷଣା କହୁଛି, ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍ ସୁପରିବାହୀ।