ଫେବ୍ରୁଆରୀ ପହିଲାରୁ ତାତି ଅସମ୍ଭାଳ

ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା । କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରିଛି । ରବିବାର ବଲାଙ୍ଗିରରେ ତାତି ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବଡିବ। ତାପମାତ୍ରା ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ।

୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଏଭଳି ତାତି କେବେ ରେକର୍ଡ ହୋଇନଥିଲା ବୋଲି କୁହାଯାଉଛି। ରୁତୁ ପରିବର୍ତ୍ତନରେ ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଚଳିତଥର ଏହି ପ୍ରକ୍ରିୟା ଶୀଘ୍ର ଦେଖିବାକୁ ମିଳୁଛି । ତେବେ ଆଶ୍ୱସ୍ତିକର କଥା ହେଉଛି, ତାପମାତ୍ରା ବଢ଼ିଲେ ମଧ୍ୟ ତାହା ଅପ୍ରତ୍ୟାଶିତ ଭାବେ ଅଧିକ ହୋଇନାହିଁ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରି କହିଛନ୍ତି, ତାପମାତ୍ରା ଅଧିକ ରହିବା ଯୋଗୁ ଦିନରେ ଗରମ ଅନୁଭୂତ ହେବ । ରାତିରେ ପାଣିପାଗ ସ୍ଥିତି ଆରାମଦାୟକ ରହିବ । ଦିନ ତାପମାତ୍ରା ବଢ଼ିବା, କମିବା ଜାରି ରହିବ । ୫ ତାରିଖରେ ତାତି ଅଧିକ ହେବ । ୬ ତାରିଖରୁ ତାତି ସାମାନ୍ୟ କମିବ । କିନ୍ତୁ ଶୀତ ଆଉ ଫେରିବନି ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ