
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶାନୁସାରେ ଆଇନ ସେବା ପ୍ରାଧିକରଣ ନୟାଗଡ଼ର ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଦୁଃଖି ପାତ୍ର ଏବଂ ଚାରିପୁଅବୋହୁଙ୍କୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ଇଟାମାଟିର ଦୁଃଖି ପାତ୍ର ନିଜ ବାସଗୃହକୁ ପୁଅବୋହୂଙ୍କ ସହିତ ଫେରିଛନ୍ତି। ଦୁଃଖି ପାତ୍ର ଏବଂ ପୁଅବୋହୂଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ଦୁଃଖି ପାତ୍ର ଆଜକୁ ଦୀର୍ଘ ୧ବର୍ଷ ହେବ ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଅବସ୍ଥିତ ସମର୍ପଣ ବୃଦ୍ଧା ଶ୍ରମରେ ରହିଥିଲେ। ନିଜ ପୁଅବୋହୂଙ୍କ ପାଖକୁ ଫେରିବାପାଇଁ ସେ ଚଳିତ ଫେବୃୟାରୀ ମାସ ୧୧ ତାରିଖରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଦ୍ଵାରସ୍ଥ ହୋଇଥିଲେ । ସଚିବ ଅଞ୍ଜଳି ମଛଖଣ୍ଡ ମାଆ ଦୁଃଖିଙ୍କ କଥାକୁ ହୃଦୟଙ୍ଗମ କରି ନ୍ୟାୟ ପାଇବା ପାଇଁ ଆଇନ ସେବା ପ୍ରାଧିକରଣର ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ଦାୟିତ୍ଵ ଦେଇଥିଲେ। କର୍ମୀମାନେ ୪ ପୁଅ ଏବଂ ମାଆଙ୍କୁ ଭେଟି ଜିଲ୍ଲା ଆଇନସେବା ପ୍ରାଧିକରଣର ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତକୁ ଆସିବାକୁ ଅନୁରୋଧ କରିଥିଲେ। ମାଆ,୪ ପୁଅବୋହୂଙ୍କୁ ଆଇନସେବା ପ୍ରବକ୍ତା ଦଣ୍ଡପାଣି ସ୍ଵାଇଁ, ସଦସ୍ୟା କ୍ଷଣପ୍ରଭା କର, କର୍ମଚାରୀ ପବନ କୁମାର ବେହେରା, ଗ୍ରାମୀଣ ଆଇନ ସଚେତନତା କର୍ମୀ ଲିପ୍ସା ଦାସ, ଜିନୁ ସାହୁ, ପ୍ରମୋଦ କୁମାର ମହାନ୍ତି, ସଂଧାରାଣୀ ବେହେରା, ସୁନୀତା ବାରିକ, ପ୍ରକାଶ ଦଳେଇ ଏବଂ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ବୁଝାସୁଝା କରିଥିଲେ। ୪ ପୁଅ ବୋହୂ ନିଜର ଭୁଲ ବୁଝିପାରି ମାଆଙ୍କୁ ନିଜ ଘରକୁ ଫେରାଇ ନେବାକୁ ଆଗେଇ ଆସିଥିଲେ। ମାଆ ଦୁଃଖି ପାତ୍ର ମଧ୍ୟ ପୁଅବୋହୂଙ୍କ ସହିତ ନିଜ ବାସଭବନକୁ ଯିବାକୁ ସମ୍ମତି ପ୍ରକାଶ କରି ସମର୍ପଣ ବୃଦ୍ଧାଶ୍ରମରୁ ନିଜ ଘରକୁ ଫେରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।