କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ (ଯେପରିକି କାର, ଜିପ, ଭ୍ୟାନ, ଇତ୍ୟାଦି) ପାଇଁ ୩୦୦୦ ମୂଲ୍ୟର ଏକ FASTag-ଆଧାରିତ ବାର୍ଷିକ ପାସ ଜାରି କରାଯିବ। ଏହି ପାସ ସକ୍ରିୟକରଣ ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।ଏହି ପାସ୍ ବିଶେଷ ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ କାର, ଜିପ୍, ଭ୍ୟାନ ଇତ୍ୟାଦି ପାଇଁ ଉପଲବ୍ଧ ହେବ । ଏହା ସାରା ଦେଶରେ ଜାତୀୟ ରାଜପଥରେ ଯାନବାହନ ପାଇଁ ଲାଗୁ ହେବ । ଏଥିରେ ବାଣିଜ୍ୟିକ ଯାନ ଅନ୍ତର୍ଭୁକ୍ତ ନୁହେଁ ।ଏହି ବାର୍ଷିକ ପାସ୍ ସମସ୍ତ ଉପଭୋକ୍ତାଙ୍କ ପାଇଁ ସହଜରେ ଉପଲବ୍ଧ କରିବା ପାଇଁ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି । ଏହି ପାସ୍ ସକ୍ରିୟ କିମ୍ବା ନବୀକରଣ କରିବା ପାଇଁ, ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟ୍ରେ ଏକ ପୃଥକ ଲିଙ୍କ୍ ଖୁବ୍ଶୀଘ୍ର ଉପଲବ୍ଧ କରାଯିବ । ଯାହା ମାଧ୍ୟମରେ ଉପଭୋକ୍ତାମାନେ ଏହି ଲିଙ୍କ୍ ପରିଦର୍ଶନ କରିପାରିବେ ଏବଂ ବାର୍ଷିକ ପାସ୍ ଦାଖଲ କରିପାରିବେ ।
କେନ୍ଦ୍ରମନ୍ତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଏହି ନୂତନ ନୀତି ୬୦ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସମ୍ପର୍କରେ ଦୀର୍ଘକାଳୀନ ସମସ୍ୟାକୁ ସମାଧାନ କରିବ ଏବଂ ଏକ ସୁବିଧାଜନକ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ସୁଗମ କରିବ ।