CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି ।ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ ବା ସିବିଏସ୍ଇ ୨୦୨୫-୨୬ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥିତି ହାଜର ନିୟମକୁ ପୁନର୍ବାର ଜାରି କରିଛି । ଏହି ନିୟମ ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ବସିବା ପାଇଁ ଅତିକମରେ ୭୫% କ୍ଲାସରେ ଉପସ୍ଥିତି ରହିବା ବାଧ୍ୟତାମୂଳକ । କିନ୍ତୁ କିଛି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ କୋହଳ କରାଯିବ । ଯେମିତିକି ଗୁରୁତର ଅସୁସ୍ଥତା, ପରିବାର ସଦସ୍ୟଙ୍କ ମୃତ୍ୟୁ କିମ୍ବା ଜାତୀୟ/ଅନ୍ତର୍ଜାତୀୟ ଖେଳରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କୋହଳ କରାଯିବ । ତେବେ ସମସ୍ତ ପ୍ରମାଣ ଏବଂ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କଲେ ହିଁ ଛାତ୍ରଛାତ୍ରୀ ଏହି ସୁବିଧା ପାଇ ପାରିବେ ।
ଜରୁରୀକାଳୀନ ଛୁଟି ପାଇଁ ଲିଖିତ ଭାବରେ ଆବେଦନ କରିବାକୁ ପଡିବ ଏବଂ ବୈଧ ଡକ୍ୟୁମେଣ୍ଟ ଦାଖଲ କରିବାକୁ ହେବ । ଯଦି ଅନ୍ୟ କୌଣସି କାରଣରୁ ପିଲାମାନେ ଛୁଟି ନେଇଛନ୍ତି ତେବେ ତା’ର କାରଣ ଜଣାଇବାକୁ ପଡିବ । ଯାହା ପରେ ଯାଞ୍ଚ କରାଯିବ । ଯଦି କୌଣସି ଉପଯୁକ୍ତ ଛୁଟି ରେକର୍ଡ ବିନା ଅନୁପସ୍ଥିତ ଅଛନ୍ତି, ନିୟମିତ ଭାବେ ସ୍କୁଲ ଆସୁ ନାହାନ୍ତି ତେବେ ସେହି ଛାତ୍ର ଛାତ୍ରୀଙ୍କୁ ଡମି ପ୍ରାର୍ଥୀ ଭାବେ ବିବେଚନା କରାଯିବ । ସିବିଏସଇ ଏପରି ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେବ ନାହିଁ ।