ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ରହିଛି । କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ମାସରେ ଭାରତ ଗସ୍ତ କରିବେ । ରୁଷ ରାଷ୍ଟ୍ରପତି ଶେଷ ଥର ପାଇଁ ୨୦୨୧ ମସିହାରେ ନୂଆଦିଲ୍ଲୀ ଗସ୍ତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରୁଷଠୁ ତେଲ କିଣିବା ପାଇଁ ଭାରତ ଉପରେ କଡ଼ା ଟାରିଫ ଲଗାଇଛି । ଏହି ଉଚ୍ଚସ୍ତରୀୟ ଗସ୍ତ ପ୍ରଥମେ ଅଗଷ୍ଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମସ୍କୋ ଗସ୍ତ କରିବା ସମୟରେ ଘୋଷଣା କରାଯାଇଥିଲା ।ତଥାପି, ସେହି ସମୟରେ ତାରିଖ ସ୍ଥିର ହୋଇନଥିଲା । ପରେ, ଚୀନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ କାରରେ ଯାଇଥିବାବେଳେ ପ୍ରାୟ ଏକ ଘଣ୍ଟା ଧରି ବୈଠକ କରିଥିଲେ । ପୁଟିନଙ୍କ ଭାରତ ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ ରୁଷ ସହିତ ବାଣିଜ୍ୟକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଶିଖର ସମ୍ମିଳନୀରେ ଦୁଇ ନେତା ୟୁକ୍ରେନ ବିବାଦ ଉପରେ ମଧ୍ୟ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ

Odisha Darpan Digital