ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ

ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି । ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ଏନଡିଏ ମୋଟ ୨୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟ ହାସଲ କରିଛନ୍ତି । ଏନଡିଏର ଏହି ବଡ଼ ସଫଳତା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ନୀତିଶ କୁମାର । ୨୦୨୪ ରେ ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ଚଳିତ ବର୍ଷ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହା ବର୍ତ୍ତମାନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି । ଏଥିପାଇଁ ମୁଁ ରାଜ୍ୟର ସମସ୍ତ ସମ୍ମାନିତ ଭୋଟରଙ୍କୁ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି ।

ସେ ଆହୁରି କହିଛନ୍ତି ଯେ, ଏନଡିଏ ମେଣ୍ଟ ଏହି ନିର୍ବାଚନରେ ସମ୍ପୂର୍ଣ୍ଣ ଏକତା ପ୍ରଦର୍ଶନ କରିଛି ଏବଂ ଏକ ବିପୁଳ ବିଜୟ ହାସଲ କରିଛି । ସମସ୍ତଙ୍କ ସମର୍ଥନରେ, ବିହାର ଆହୁରି ପ୍ରଗତି କରିବ ଏବଂ ଦେଶର ସବୁଠାରୁ ବିକଶିତ ରାଜ୍ୟ ମଧ୍ୟରେ ସାମିଲ ହେବ ।

ଅଧିକ ପଢନ୍ତୁ