କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍ ଜବ୍ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ।ଏହି ନୂଆ ଆଇନଗୁଡିକ ଲାଗୁ ହେବା ଦ୍ୱାରା ଅନୌପଚାରିକ କ୍ଷେତ୍ର, ସ୍ୱିଗି, ଜୋମାଟୋ, ବ୍ଲିଙ୍କ ଇଟ୍ ଭଳି ସଂସ୍ଥାରେ କାମ କରୁଥିବ କର୍ମଚାରୀ, ପ୍ରବାସୀ ଶ୍ରମିକ, ଅନୌପଚାରିକ କ୍ଷେତ୍ରରେ କାମ କରୁଥିବା ମହିଳା କର୍ମଚାରୀମାନେ ଉପକୃତ ହେବେ ।
ଅନୌପଚାରିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ, ଇଏସଆଇ, ବୀମା ଭଳି ସୁବିଧା ସହ ସାମାଜିକ ସୁରକ୍ଷା ଯୋଗାଇଦେବା ବାଧ୍ୟତାମୂଳକ ହେବ। ସରକାରଙ୍କ କହିବାନୁସାରେ, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଏକ ମଜଭୁତ ଶ୍ରମ-ଢାଞ୍ଚା ପ୍ରସ୍ତୁତ କରିବା, ଯାହା କେବଳ ଶ୍ରମିକମାନଙ୍କ ସୁରକ୍ଷା ବଢ଼ାଇବ ନାହିଁ, ଏହାସହିତ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ପ୍ରତିସ୍ଫର୍ଦ୍ଧାତ୍ମକ ମାହୋଲ ତିଆରି କରିବ । ଏକ ଭବିଷ୍ୟମୁଖୀ ଶ୍ରମ ଇକୋସିଷ୍ଟମ ନିର୍ମାଣ ଏହାର ଲକ୍ଷ୍ୟ ।କର୍ମଚାରୀମାନଙ୍କ ପାଇଁ କ୍ୟାଣ୍ଟିନ, ପିଇବା ପାଣି, ବିଶ୍ରାମ ଗୃହ ଭଳି ବ୍ୟବସ୍ଥା ରହିବ। ସେହିପରି ଗଣମାଧ୍ୟମ ସଂସ୍ଥା ବିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କୁ ପଦ, ଦରମା ଉଲ୍ଲେଖ ଥିବା ନିଯୁକ୍ତି ପତ୍ର, ସର୍ବନିମ୍ନ ଦରମା ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ସମୟ ପରେ କାମ କଲେ ଓଭର ଟାଇମ ପ୍ରଦାନ କରିବାକୁ ବିଲରେ ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ ସେମାନଙ୍କ ଅନୁମତି ନେବାକୁ ପଡିବ ଏବଂ ଏଥିପାଇଁ ଦୁଇ ଗୁଣ ଅଧିକ ଦରମା ଦେବାକୁ ପଡିବ।୪୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଶ୍ରମିକଙ୍କ ପାଇଁ ନିଃଶୁଳ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ଅନିବାର୍ଯ୍ୟ ହେବ । ଏହାବ୍ୟତୀତ ଏକ ରାଷ୍ଟ୍ରୀୟ ଓଏସ୍ଏଚ୍ ବୋର୍ଡ ଜରିଆରେ ଉଦ୍ୟୋଗଗୁଡ଼ିକରେ ସୁରକ୍ଷା ମାନକକୁ ଏକରୂପ କରାଯିବ । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଏବେ ରାତ୍ରି ସିଫ୍ଟରେ କାର୍ଯ୍ୟ କରିପାରିବେ । କିନ୍ତୁ ଏଥିପାଇଁ ନିଯୁକ୍ତିଦାତାଙ୍କୁ ସୁରକ୍ଷା ଉପାୟ ଏବଂ ମହିଳାଙ୍କ ସହମତିକୁ ସୁନିଶ୍ଚିତ କରିବାକୁ ପଡ଼ିବ । ପୂର୍ବରୁ କେତେକ କ୍ଷେତ୍ରରେ ଏହି ଅନୁମତି ନ ଥିଲା । ପର୍ମାନେଣ୍ଟ କର୍ମଚାରୀଙ୍କ ସମତୁଲ୍ୟ ସୁବିଧା ପାଇବେ ଫିକ୍ସଡ-ଟର୍ମ କର୍ମଚାରୀ । ଏହି ସୁବିଧାଗୁଡ଼ିକ ମଧ୍ୟରେ ରହିଛି ସାମାଜିକ ସୁରକ୍ଷା, ମେଡିକାଲ କଭର ଏବଂ ପେଡ୍ ଲିଭ୍ ଇତ୍ୟାଦି । ୫ ବର୍ଷ ପରିବର୍ତ୍ତେ କାର୍ଯ୍ୟର ବର୍ଷେ ପରେ ଗ୍ରାଚୁଇଟି ପାଇବେ । ପ୍ରତ୍ୟେକ ନିଯୁକ୍ତିକୁ ଏହା ପ୍ରୋତ୍ସାହିତ କରିବ । ଗିଗ୍ କର୍ମଚାରୀ ଏବଂ ପ୍ଲାଟ୍ଫର୍ମ କର୍ମଚାରୀଙ୍କୁ ପ୍ରଥମ ଥର ପାଇଁ ଆଇନଗତ ପରିଚୟ ମିଳିବ । ସେମାନଙ୍କୁ ପିଏଫ୍, ପେନ୍ସନ, ବୀମା ଭଳି ସାମାଜିକ ସୁରକ୍ଷାର ଲାଭ ମିଳିପାରିବ ଏବଂ ପ୍ଲାଟ୍ଫର୍ମ କମ୍ପାନିଗୁଡ଼ିକୁ ଏଥିପାଇଁ ଯୋଗଦାନ ଦେବାକୁ ହେବ ।
ଅଧିକାଂଶ କ୍ଷେତ୍ରରେ ଦୈନିକକାର୍ଯ୍ୟ ସମୟକୁ ୮-୧୨ ଘଣ୍ଟାର ଖାଯାଇଛି । ସପ୍ତାହକୁ ଏହା ୪୮ଘଣ୍ଟା । ଓଭର୍ଟାଇମ୍ ପାଇଁ ଦୁଇଗୁଣା ଦରମା । ଶ୍ରମ ସୁରକ୍ଷା ଫ୍ରେମ୍ୱାର୍କରେ ସାମ୍ବାଦିକ, ଫ୍ରିଲାନ୍ସର, ଡବିଂ ଆର୍ଟିଷ୍ଟ ଏବଂ ମିଡିଆ ପେସାଦାରଙ୍କୁ ସାମିଲ କରାଯାଇଛି । ଏହାଦ୍ୱାରା ସେମାନଙ୍କପାଇଁ ନିଯୁକ୍ତି ପତ୍ର, ଦରମା ସୁରକ୍ଷାଏବଂ ନିୟନ୍ତ୍ରିତ କାର୍ଯ୍ୟ ସମୟ ସୁନିଶ୍ଚିତ ହେବ ।
