ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ ପରେ କିଏ ସମ୍ଭାଳିବ ବେଦାନ୍ତ ?

ପରଲୋକରେ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲ । ମାତ୍ର ୪୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଆମେରିକାରେ ସ୍କିଇଂ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିଲେ । ତାଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ ଏବଂ ଭଲ ହୋଇ ଘରକୁ ଫେରିବା ଆଶା ଥିଲା । ମାତ୍ର ହଠାତ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଅଗ୍ନିବେଶ ଅଗ୍ରୱାଲ ବ୍ୟବସାୟିକ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ ‘ଫୁଜୈରା ଗୋଲ୍ଡ’ର ପ୍ରତିଷ୍ଠାତା ଥିବା ସହ ହିନ୍ଦୁସ୍ତାନ ଜିଙ୍କ୍‌ର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ଅକାଳ ବିୟୋଗ ପରେ ଏବେ ସମସ୍ତ ଦାୟିତ୍ୱ କନ୍ୟା ପ୍ରିୟା ଅଗ୍ରୱାଲଙ୍କ କାନ୍ଧକୁ ଆସିବାକୁ ଯାଉଛି । ପ୍ରିୟା ବର୍ତ୍ତମାନ ବେଦାନ୍ତ ଏବଂ ହିନ୍ଦୁସ୍ତାନ ଜିଙ୍କ୍‌ର ବୋର୍ଡ ସଦସ୍ୟା ଅଛନ୍ତି ଏବଂ ହିନ୍ଦୁସ୍ତାନ ଜିଙ୍କ୍‌ର ଚେୟାରପର୍ସନ ଭାବେ ବଡ଼ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଦିନରେ ସେ ବେଦାନ୍ତ ଗ୍ରୁପର ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।

ଅନିଲ ଅଗ୍ରୱାଲ ନିଜ ସମ୍ପତ୍ତିର ୭୫ ପ୍ରତିଶତ ସମାଜସେବା ପାଇଁ ଦାନ କରିବାକୁ ସଂକଳ୍ପ ନେଇଛନ୍ତି । ପୁତ୍ରର ମୃତ୍ୟୁ ପରେ ସେ ଭାବୁକ ହୋଇ କହିଛନ୍ତି ଯେ, ଅଗ୍ନିବେଶଙ୍କ ସ୍ୱପ୍ନ ଥିଲା ଦେଶର କୌଣସି ଶିଶୁ ଯେପରି ଭୋକିଲା ନ ରୁହନ୍ତି ଏବଂ ସମସ୍ତେ କର୍ମସଂସ୍ଥାନ ପାଆନ୍ତି । ଏବେ ଏହି ଲକ୍ଷ୍ୟ ଏବଂ ସମାଜସେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରୱାଲ ପରିବାର ପ୍ରତିଶ୍ରୁତିବଦ୍ଧ ।

ଅଧିକ ପଢନ୍ତୁ