
ନୟାଗଡ,(ଓଡ଼ିଶା ଦର୍ପଣ):” ଓଡ଼ିଶା ସାହିତ୍ୟ ଏକାଡେମୀ”, ଭୁବନେଶ୍ୱର ଓ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ନୟାଗଡଙ୍କ ମିଳିତ ଆନୁକୁଲ୍ୟରେ ଏକଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ କାର୍ଯକ୍ରମ ନୟାଗଡ କେ.ସି କ୍ଲବ୍ ଠାରେ ଆଜି ଦିବା ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଉଦ୍ଘାଟକ ଭାବେ ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍ ପ୍ରଫେସର ନିଶାମଣି ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରବଚକ ଓ ସୁବକ୍ତା ଡ଼. ଗଣେଶ୍ୱର ସ୍ୱାଇଁ , ମୁଖ୍ୟ ଅତିଥି ଭାବେ ସାରଳା ଦାସ ଚେୟାର, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର , ବରେଣ୍ୟ ଭାବେ ବରିଷ୍ଠ ସାହିତ୍ୟିକ ଡ଼. ବୈରାଗୀ ପଟ୍ଟନାୟକ ଯୋଗଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ନୟାଗଡ ମାଟିର ଐତିହ ,ସଂସ୍କୃତି ସାହିତ୍ୟ ଓ ପରମ୍ପରା ବିଷୟ ରେ ଆଲୋକପାତ କରିଥିଲେ ଏବଂ ନୟାଗଡ ଜିଲ୍ଲା ର ସାରସ୍ଵତ ସାଧକ ମାନଙ୍କ ସାହିତ୍ୟ କୃତି ଗୁଡ଼ିକୁ ଆଲୋଚନା କରିଥିଲେ ।

ପ୍ରାୟ ୮୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ ଏବଂ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନ କରିଥିଲେ । ରଶ୍ମିରଞ୍ଜନ ଶତପଥି ସାହିତ୍ୟ ଏକାଡେମୀ ତରଫରୁ କବି ମାନଙ୍କୁ ସେମାନଙ୍କର ପ୍ରୀତିଭରା ଉପହାର ପ୍ରଦାନ କରିଥିଲେ। “ପରମ୍ପରା”ର ସଭାପତି ଡ଼. ସୁକାନ୍ତି ମହାନ୍ତି ଏହି ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲା ବେଳେ “ପରମ୍ପରା”ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ।By:Laxmidhar Sahoo
