ଟିଉସନ ନାଁରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଗିରଫ କଲା ପୋଲିସ

ଟିଉସନ ଦେବା ନାଁରେ ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ  । ଏ ସମ୍ପର୍କରେ କାହାକୁ କହିଲେ ଆପତ୍ତିଜନକ ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ ଟିଉସନ ଶିକ୍ଷକ।ଶେଷରେ ପୀଡିତା ଛାତ୍ରୀଙ୍କ ଅଭିଯୋଗ ପରେ ଗତକାଲି(ବୁଧବାର) ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି କୁଦାନଗରୀ ପୋଲିସ । ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଗୁରୁ ଶିଷ୍ୟଙ୍କୁ ନେଇ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କୋରୁଆ ସରକାରୀ ସ୍କୁଲର ଶିକ୍ଷକ ରଞ୍ଜନ ଜେନା, ଯିଏକି ବାଲେଶ୍ୱର ଜିଲ୍ଲାର ବାସିନ୍ଦା ୨୦୨୨ ମସିହାରୁ ଏହି ସ୍କୁଲରେ କାର୍ଯ୍ୟରତ ଥିଲେ । ତାଙ୍କ ବିରୋଧରେ ଛାତ୍ରୀ ଅସଦାଚରଣ ଭଳି ଗୁରୁତର ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।ଅଭିଯୋଗ ଅନୁସାରେ, ରଞ୍ଜନ ଜନୈକା ନାବାଳିକା ଛାତ୍ରୀଙ୍କୁ ଇଂରାଜୀ ଟିଉସନ୍‌ ଦେବା ନାମରେ ବାରମ୍ବାର ଅସଦାଚରଣ କରୁଥିଲେ ଓ ଏ ସମ୍ପର୍କରେ କାହାରି ଆଗରେ କହିଲେ ସେ ଉତ୍ତୋଳନ କରି ରଖିଥିବା ଏହି ଘୃଣ୍ୟ ଘଟଣାର ବା ଆପତ୍ତିଜନକ ଫଟୋ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବା ଧମକ ଦେଉଥିଲା ।ତେବେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣା ପରେ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅଧିକ ପଢନ୍ତୁ