ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ ମାଟ୍ରିକ ପାସ୍। ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆଉ ପରୀକ୍ଷାରେ ପାସ ହୋଇଛନ୍ତି ବହୁ ଚର୍ଚ୍ଚିତ ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପରୀକ୍ଷାର୍ଥୀ (୧୮ ଇଞ୍ଚର ଛାତ୍ରୀ) ସୁନିତା ନାଏକ। ଏହି ଛାତ୍ରୀ ଜଣଙ୍କ ମହୁଲପାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ । ସେ ମୋଟ ୩୦୯ ନମ୍ବର ରଖି “ସି “(C) ଗ୍ରେଡ଼ରେ ପାସ କରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ମାଆ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବାରେ ସାହାଯ୍ୟ କରୁଥିଲେ । ସୁନିତାଙ୍କ ବାପା ବିଷ୍ଣୁ ନାଏକଙ୍କର ଆଜକୁ ୧୦ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି। ବାପା ଛେଉଣ୍ଡ ଏହି ଦିବ୍ୟାଙ୍ଗ ଶିଶୁଟିକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ ସଞ୍ଜୁ।ସେ ଚଳିତ ବର୍ଷ କାନପୁରା ଗ୍ରାମ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ ।
