ବିଗତ କିଛି ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିଳ୍ପାୟନ, ସହରୀକରଣ ଏବଂ ଘରୋଇ ବ୍ୟବହାର ବଢ଼ିବା ସହିତ ବିଦ୍ୟୁତର ସର୍ବୋଚ୍ଚ ଚାହିଦା ବେଶ୍ ବୃଦ୍ଧି ପାଇଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ ଏବଂ ଇଣ୍ଡିଆ ଗ୍ରୀଡ୍ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ (୨୦୧୮-୧୯ ରୁ ୨୦୨୩-୨୪) ମଧ୍ୟରେ ବିଦ୍ୟୁତ ଚାହିଦା ବୃଦ୍ଧି ହାର କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ୧୬ତମ ସ୍ଥାନରେ ରହିଛି। ଅନ୍ୟପଟେ, ଏହି ତାଲିକାରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ସବୁଠାରୁ ଆଗରେ ରହି ଶୀର୍ଷ ସ୍ଥାନ ହାସଲ କରିଛି।ତା’ପରକୁ ବିହାରର ଅଭିବୃଦ୍ଧି ୫୭.୩୬ ଧ ହୋଇଛି । ଦେଶର ପୂର୍ବ, ଉତ୍ତର, ପଶ୍ଚିମ ଓ ଦକ୍ଷିଣାଞ୍ଚଳର ପ୍ରତ୍ୟେକ ପ୍ରମୁଖ ୪ଟି ରାଜ୍ୟକୁ ନେଇ ୧୬ଟି ରାଜ୍ୟର ଗତ ୫ ବର୍ଷ ୨୦୧୮-୧୯ରୁ ୨୦୨୩-୨୪ ବ୍ୟବଧାନରେ ହୋଇଥିବା ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ତଥ୍ୟ ସମୀକ୍ଷାରୁ ଏହା ଜଣାପଡ଼ିଛି ।ଗତ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଶିଳ୍ପ କାରଖାନା ଏବଂ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଯୋଗୁଁ ବିଦ୍ୟୁତ ବ୍ୟବହାର ରେକର୍ଡ ସ୍ତର ଛୁଇଁଛି।
ରିପୋର୍ଟ ମୁତାବକ, ଉନ୍ନୟନମୂଳକ କାର୍ଯ୍ୟ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଝାଡ଼ଖଣ୍ଡରେ ସବୁଠାରୁ ଅଧିକ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ପଛକୁ ଦେଶର ଅନ୍ୟାନ୍ୟ ପ୍ରମୁଖ ଶିଳ୍ପ ସମୃଦ୍ଧ ତଥା ଜନବହୁଳ ରାଜ୍ୟ ଯଥା ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକ ମଧ୍ୟ ବିଦ୍ୟୁତର ସର୍ବୋଚ୍ଚ ବ୍ୟବହାର କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି।୨୦୧୮-୧୯ରେ ଓଡ଼ିଶାର ମୋଟ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୮୩ ଲକ୍ଷ ଥିବା ବେଳେ ବିଦ୍ୟୁତ୍ ଚାହିଦା ୫୩୫୭ ମେଗାୱାଟ୍ ଥିଲା । ୨୦୨୩-୨୪ ବେଳକୁ ରାଜ୍ୟର ମୋଟ ଉପଭୋକ୍ତାଙ୍କ ସଂଖ୍ୟା ୯୪ ଲକ୍ଷରେ ପହଞ୍ଚିଥିବା ବେଳେ ବିଦ୍ୟୁତ୍ ଚାହିଦା ମାତ୍ର ୨୦.୨୭% ବୃଦ୍ଧି ପାଇ ୬୪୪୩ ମେଗାୱାଟରେ ପହଞ୍ଚିଛି । ରାଜ୍ୟରେ ବିଦ୍ୟୁତ ଚାହିଦା ବୃଦ୍ଧିକୁ ନେଇ ସରକାରଙ୍କର ନକରାତ୍ମକ ଆଭିମୁଖ୍ୟ ରହୁଛି । ବାସ୍ତବତା ହେଉଛି, ସିଇଏର ୨୦୨୩-୨୪ ତଥ୍ୟ ଅନୁସାରେ ଓଡ଼ିଶାର ଘରୋଇ, ବାଣିଜ୍ୟ ଓ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ମାତ୍ର ୨୫୮ ୟୁନିଟ୍ ରହିଥିବା ବେଳେ ଜାତୀୟ ହାର ୪୨୦ ୟୁନିଟ୍ ଅଛି ।
