ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି । କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ । ଏହି ପ୍ରକଳ୍ପ ଅଧୀନରେ ଜୋନ୍ ରେ ଛଅଟି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବାଘୁଆପାଳବୁଢାପଙ୍କ, ହରିଦାସପୁର-ପାରାଦୀପ, ଖୋର୍ଦ୍ଧା ରୋଡ୍ବଲାଙ୍ଗୀର, ନୌପଡା-ଗୁଣୁପୁର, ଲାଞ୍ଜିଗଡ଼ ରୋଡ୍ଜୁନାଗଡ଼ ଏବଂ ବାବିଲି-ସାଲୁରୁ ଅନ୍ତର୍ଭୁକ୍ତ ହୋଇଛି। ସୁରକ୍ଷା ‘କବଚ’ ରେଳଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ଅବିରତ ନଜର ରଖିଥାଏ । ଚାଳକ ଭୁଲ୍ରେ ସିଗ୍ନାଲ ଅତିକ୍ରମ କଲେ, ‘କବଚ’ ସତର୍କ ସୂଚନା ପଠାଇଥାଏ । ଏହା ସତ୍ତ୍ବେ ଚାଳକ ପଦକ୍ଷେପ ନ ନେଲେ, ଆପେଆପେ ବ୍ରେକ୍ ଲାଗିଯାଏ । ଖାଲି ସେତିକି ନୁହେଁ, ଅତି ଜରୁରୀ ପରିସ୍ଥିତିରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ଘଟଣାସ୍ଥଳକୁ ସିଗନାଲ୍ ପଠାଇଥାଏ ।ଏହା ସହିତ, କବଚ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ।ପୂର୍ବତଟ ରେଳପଥ ଅଧୀନରେ କବଚ କାର୍ଯ୍ୟକାରୀ ହେଲେ ଉଭୟ ଯାତ୍ରୀ ଓ ମାଲବାହୀ ଟ୍ରେନ୍ ନିରାପତ୍ତା ଅନେକାଂଶରେ ବୃଦ୍ଧି ପାଇବ ।
