ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲ୍ରେ ଅନୁଷ୍ଠିତ ହୋଇଛି । ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ । ସହରର ବିଭିନ୍ନ ସ୍ଥାନରେ ହେବ ୩୦ଟି ଆଶୁ ଆରୋଗ୍ୟ କେନ୍ଦ୍ର ହେବ । ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ । ୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ଆସିବେ । ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ ବୋଲି ବୈଠକରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।ଦେବସ୍ନାନପୂର୍ଣ୍ଣମୀରେ ୩୦୦ ଅସ୍ଥାୟୀ ଶୌଚାଳୟକୁ ମିଶାଇ ସହରରେ ମୋଟ ୧୬୦୦ଟି ଅସ୍ଥାୟୀ ଶୌଚାଳୟ ହେବ । ୨୩ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ । ରଥଯାତ୍ରାରେ ସ୍ବଚ୍ଛତାକୁ ଗୁରୁତ୍ଵ ଦିଆଯାଇଛି ।
ରଥଯାତ୍ରା ସୁପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଥିଲେ ସମଗ୍ର ସହର ସିସିଟିଭି ନଜରରେ ରହିବ । ୧୭୦ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇଛି । ମୋଟ ୪୭୫ଟି ସିସିଟିଭି କ୍ୟାମେରା ଲାଗିବ । ଜନଗହଳି ନିୟନ୍ତ୍ରଣ ପାଇଁ ୨୮ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ୍ ରହିବ । ଆମ୍ବୁଲାନ୍ସ ଗ୍ରୀନ କରିଡ଼ର କରାଯିବ । ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟୀକାଲ ୟୁନିଟ ମୁତୟନ ରହିବ । ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ | ୧୫ ଲକ୍ଷ ଯାତ୍ରୀଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ୧୩୦ଟି ସ୍ଵତନ୍ତ୍ର ବସ୍ ଚଳାଚଳ କରିବ। ତେବେ ରେଳ ବିଭାଗ ପକ୍ଷରୁ ୩୭୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ରଥଯାତ୍ରା ସମୟରେ ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ। ୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି। ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୨ ଟି ଏଟିଭିଏମ କାର୍ଯ୍ୟ କରିବ। ୮୦୦ ଆରପିଏଫଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ।
