ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ

ଜାତୀୟ ସ୍ତରରେ ପରୀକ୍ଷା ଅନିୟମିତତା ଏବଂ ବିଶେଷକରି NEET ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି ଚାଲିଥିବା ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଓଡ଼ିଶାର ରାଜନୈତିକ ମହଳରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ମଧ୍ୟ ଏହି ଘଟଣାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।ଏଥିରେ ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି Gen-Zଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। ଆମ ଲୋକଙ୍କ ବିଶେଷକରି ଯୁବପିଢ଼ିଙ୍କ ସ୍ବର ଶୁଣିବାକୁ ଯୋଗ୍ୟ। ଭାରତର ଭବିଷ୍ୟତ ଯୁବପିଢ଼ିଙ୍କର। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି ବୋଲି ନବୀନ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛନ୍ତି। ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ତାଙ୍କର ଉଚ୍ଚ ନୈତିକ ମୂଲ୍ୟବୋଧର ପରିଚୟ ବୋଲି ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି ଯେ, ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ପଦବୀରୁ ଇସ୍ତଫା ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ନିଷ୍ପତ୍ତି ତାଙ୍କ ଉଚ୍ଚ ନୀତିଆଦର୍ଶର ପରିଚାୟକ।

ଅଧିକ ପଢନ୍ତୁ