ଆଜି ସାରା ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ପାଳନ ପାଇଁ ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର ହୋଇଉଠିଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା । ଏହି ଐତିହାସିକ ଦିନକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ କରାଯାଏ । ଦେଶକୁ ସ୍ବାଧୀନ କରିବା ପାଇଁ ଯେଉଁ ସ୍ବାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇଥିଲେ, ଏହି ଦିନ ସେମାନଙ୍କର ତ୍ୟାଗ ଓ ବଳିଦାନକୁ ସମଗ୍ର ଦେଶ ସ୍ମରଣ କରେ।ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସ୍ବାଧୀନତା ଦିବସକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି । ସ୍କୁଲ୍ ଓ କଲେଜ୍ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଭାଷଣ ଓ ନାଟକ ପରିବେଷଣ କରୁଛନ୍ତି । ଅନେକ ସ୍ଥାନରେ ପ୍ରଭାତଫେରୀ, ତ୍ରିରଙ୍ଗା ଯାତ୍ରା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ।
ବଜାର, ରାସ୍ତାଘାଟ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ତ୍ରିରଙ୍ଗା ରଙ୍ଗରେ ସଜେଇ ଦିଆଯାଇଛି। ଘରେ ଘରେ ମଧ୍ୟ ଜାତୀୟ ପତାକା ଉଡ଼ୁଛି। ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେଶପ୍ରେମର ଭାବନାରେ ଏହି ଦିନକୁ ପାଳନ କରୁଛନ୍ତି । ସ୍ବାଧୀନତା ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଦେଶ ପ୍ରତି ଆମର ଦାୟିତ୍ବ ଓ କର୍ତ୍ତବ୍ୟକୁ ମନେ ପକାଇବାର ଏକ ଅବସର।
