ଅନଲାଇନ କ୍ୟାବ ଡ୍ରାଇଭରଙ୍କ ଧର୍ମଘଟର ପ୍ରଭାବ ! ଜରୁରୀ ସେବା ପାଇଁ PCR ଗାଡ଼ି ଦେବ ସହାୟତା

ରାଜଧାନୀରେ ଓଲା ଏବଂ ଉବର ଭଳି ଅନଲାଇନ୍ କ୍ୟାବ୍ ସେବା ବନ୍ଦ ରହିଛି । ଯାହା ସାଧାରଣ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ କଟକ-ଭୁବନେଶ୍ୱରରେ “ଜିରୋ ସପ୍ଲାଇ” ଆନ୍ଦୋଳନ ହୋଇଛି।ଏହି ଧର୍ମଘଟକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଅନଲାଇନ୍ ଟ୍ରାନ୍ସପୋର୍ଟ ସେବା ବନ୍ଦ ଥିବା କାରଣରୁ ସାଧାରଣ ଜନତାଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ପିସିଆର୍ ଭ୍ୟାନ୍ଗୁଡ଼ିକୁ ମୈଦାନକୁ ଅଣାଯାଇଛି ।କମିଶନରେଟ୍ ପୁଲିସର ସୂଚନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଚିକିତ୍ସାଜନିତ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଏବଂ ବିମାନବନ୍ଦରରେ ପହଞ୍ଚିବା ପରେ ହସ୍ପିଟାଲ୍ ଯିବାକୁ ଗାଡ଼ି ପାଉନାହାଁନ୍ତି, ତେବେ ପୁଲିସ ସେମାନଙ୍କୁ ସହଯୋଗ କରିବ । ବିମାନବନ୍ଦରରୁ ରୋଗୀ କିମ୍ବା ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଯାତ୍ରୀମାନଙ୍କୁ ଠିକ୍ ସମୟରେ ହସ୍ପିଟାଲ୍ ପହଞ୍ଚାଇବା ପାଇଁ ପୁଲିସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।ଯାତ୍ରୀମାନଙ୍କୁ ସମସ୍ୟାରୁ ମୁକ୍ତି ଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁତୟନ କରାଯାଇଥିବା ପିସିଆର୍ ଗାଡ଼ିଗୁଡ଼ିକର ସହାୟତା ନେବାକୁ କମିଶନରେଟ୍ ପୁଲିସ ପକ୍ଷରୁ ବିଶେଷ ଭାବେ ଅନୁରୋଧ କରାଯାଇଛି ।

ଅଧିକ ପଢନ୍ତୁ