ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ, ଗତବର୍ଷ ତୁଳନାରେ ୧୪୮୩ ଟି ଅଧିକ ପକ୍ଷୀ ଗଣନା

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଏହି ଗଣନା ଜାତୀୟ ଉଦ୍ୟାନ ମଧ୍ୟସ୍ଥ କନିକା ରେଞ୍ଜର ମଠଆଡିଆ, ଲଷ୍ମୀ ପ୍ରସାଦ ଡିଆ, ଦୁର୍ଗା ପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲିଡିଆରେ କରାଯାଇଥିଲା । ସେପ୍ଟେମ୍ବର 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଚାଲିଥିବା ପକ୍ଷୀ ଗଣନାର ରିପୋର୍ଟ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ଭିତରକନିକାରେ ଅଛନ୍ତି ୧୦ ପ୍ରଜାତିର ୧ ଲକ୍ଷ ୩୨ ହଜାର ୨୭୯ ଟି ପକ୍ଷୀ । ଚଳିତବର୍ଷ ୧୪୧୯ ଟି ଗଛରେ ୨୮୬୪ଟି ବସା ବାନ୍ଧି ୧ ଲକ୍ଷ ୩୨ ହଜାର ୨୭୯ଟି ପକ୍ଷୀ ଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରତ୍ୟେକ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଉଛି । ଗେଣ୍ଡାଳିଆ, ବଗ, ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ମୌସୁମୀର ଆଗମନରେ ଖାଦ୍ୟ ସଂଗ୍ରହ, ବଂଶ ବିସ୍ତାର ଓ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରହିଯାଇଥିବା ପକ୍ଷୀମାନଙ୍କ ସହ ବନ୍ଧୁତା ସ୍ଥାପନ ପାଇଁ ଏଠାକୁ ଆସିଥାନ୍ତି । ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କୀଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି, ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି ।

ଅଧିକ ପଢନ୍ତୁ