୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି । ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ନଭେମ୍ବର ୭ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୩ ତାରିଖରେ ଆୟୋଜନ କରାଯିବ। ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ।ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ସାରା ରାଜ୍ୟରେ ଭୋଟର ତାଲିକା ସଂଶୋଧନ ଏବଂ ଯାଞ୍ଚ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ନୂଆ କରି ୧୮ ବର୍ଷ ବୟସ ଅତିକ୍ରମ କରିଥିବା ଯୋଗ୍ୟ ଯୁବ ଭୋଟରମାନଙ୍କ ନାମ ତାଲିକାରେ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା ଏବଂ ଭୋଟର ପରିଚୟ ପତ୍ରରେ ଥିବା ଅନ୍ୟାନ୍ୟ ତ୍ରୁଟିଗୁଡ଼ିକୁ ସୁଧାରିବା ଉପରେ ଏହି କ୍ଷେତ୍ରସ୍ତରୀୟ ସର୍ଭେରେ ପ୍ରାଧାନ୍ୟ ଦିଆଯିବ।ତେବେ ଏହି ବ୍ୟାପକ ସର୍ଭେ ଆରମ୍ଭ ହେବା ପୂର୍ବରୁ, ଏଥିରେ ସାମିଲ ହେବାକୁ ଥିବା ଅଧିକାରୀମାନଙ୍କୁ ଏକ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଅଧିକ ପଢନ୍ତୁ