୧୯୯୯ ମହାବାତ୍ୟାକୁ ୨୭ ବର୍ଷ: ବଦଳିଯାଇଥିଲା ଓଡ଼ିଶା ମାନଚିତ୍ରର ରୂପରେଖ

୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ସେହି କଳା ଶୁକ୍ରବାରକୁ ଆଜି ୨୭ ବର୍ଷ ପୂରିଛି ।ହେଲେ ଆଜି ବି ସେହି ଦିନ କଥା ଭାବିଲେ ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ମହାବାତ୍ୟାର ଭୟଙ୍କର ତାଣ୍ଡବର ସାକ୍ଷୀ ଥିବା ପ୍ରଭାବିତ ଆଜି ବି ସେହି କଥାକୁ ମନେ ପକାଇଲେ ଆଖିରେ ଜକାଏ ପାଣି । ବାତ୍ୟାରେ ଯେଉଁମାନଙ୍କର ଅକାଳ ବିୟୋଗ ଘଟିଥିଲା ତାହାକୁ ଆତ୍ମୀୟସ୍ବଜନ ଆଜି ଭୁଲି ପାରିନାହାନ୍ତି । ସେହି ଛାତିଥରା ଦିନକୁ ଶବ୍ଦରେ ବୟାନ କରିବା ବହୁ କଷ୍ଟକର । ବର୍ଷ ପରେ ବର୍ଷ ବିତିଯାଉଛି । ହେଲେ ଅକ୍ଟୋବର ୨୯ ତାରିଖ ଆସିଲେ ପ୍ରତ୍ୟକ୍ଷଦର୍ଶୀଙ୍କ ଆଖି ସାମ୍ନାରେ ନାଚି ଉଠେ ସେହି ସମୟ । ଘଣ୍ଟାପ୍ରତି ୩୦୦କିମି ବେଗରେ ପବନ ସାଙ୍ଗକୁ ଆର୍ତ୍ତ ଚିତ୍କାର, ଭୟଙ୍କର ଶବ୍ଦ ଶୁଣି ଏହି କଣ ସୃଷ୍ଟିର ବିନାଶ ବୋଲି ଭାବି ନେଇଥିଲେ ଲୋକେ । ଇତିମଧ୍ୟରେ ୨୭ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାବାସୀ ସେହି ରାତିକୁ ଆଜି ବି ଭୁଲିପାରିନାହାନ୍ତି ।ଅକ୍ଟୋବର ୨୯ ସକାଳେ ଯେତେବେଳେ ମହାବାତ୍ୟା ପାରାଦୀପ ଉପକୂଳ ଛୁଇଁଥିଲା, ସେତେବେଳେ ସତେ ଯେମିତି ପ୍ରଳୟର ମହାଘଣ୍ଟି ବାଜିଉଠିଥିଲା । ବିଶାଳକାୟ ବୃକ୍ଷ ପକ୍କା ଘର, ଏବଂ ବଡ଼ ବଡ଼ ମୋବାଇଲ୍ ଟାୱାର ତାସ ଘର ଭଳି ଭାଙ୍ଗି ଚୂରମାର୍ ହୋଇଯାଇଥିଲା ।ବିଶେଷକରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ରଚିଥିଲା ତାଣ୍ଡବଲୀଳା ।ଶତାବ୍ଦୀର ସବୁଠୁ ପ୍ରଳୟଙ୍କାରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ପାରାଦୀପର ଷଣ୍ଢକୂଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ ।ବର୍ଷ ବର୍ଷ ପର୍ଯ୍ୟନ୍ତ ଅନେକ ନିଖୋଜଙ୍କ ପତ୍ତା ମିଳି ନଥିଲା । ବଞ୍ଚିଯାଇଥିବା ମଣିଷଙ୍କ ଆଖରେ ଲୁହ ଶୁଖୁଯାଇଥିଲା ଏବଂ କେବଳ ବୁନ୍ଦାଏ ପାଣି ଓ ମୁଠାଏ ଶୁଖୁଲା ଖାଦ୍ୟ ପାଇଁ ଚାରିଆଡ଼େ ହାହାକାର ପଡ଼ିଥିଲା । ସମ୍ପୂର୍ଣ ଓଡ଼ିଶା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା। ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ, ଛାରଖାର ହୋଇ ଯାଇଥିଲା ଉପକୂଳ । ଆଉ ଏବେ ‘ଅର୍ଣ୍ଣବ’ ବାତ୍ୟା ପୁଣି ଥରେ ଓଡ଼ିଶାବାସୀଙ୍କ ମନରେ ୧୯ ୯୯ ମସିହାର ସେହି କରାଳ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି!

ଅଧିକ ପଢନ୍ତୁ