ବରିଷ୍ଠ କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ବର୍ଷ ୨୦୨୪ ପାଇଁ କନ୍ନଡ ସିନେମାର ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତ ସରକାର ଏହି ପୁରସ୍କାର ପାଇଁ ୭୮ ବର୍ଷୀୟ ଅଭିନେତାଙ୍କ ନାମ ଘୋଷଣା କରିଛନ୍ତି।ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ପରିଚିତ ଏହି ପୁରସ୍କାର ଅନନ୍ତ ନାଗଙ୍କ ଦୀର୍ଘ କଳାତ୍ମକ ଯାତ୍ରାକୁ ସ୍ୱୀକୃତି ଦେଇଛି। ପ୍ରେସ୍‌ ଇନ୍‌ଫର୍ମେସନ୍‌ ବ୍ୟୁରୋ (PIB) ପକ୍ଷରୁ ସୂଚନା ଦିଆଯାଇଛି ।PIB ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସିନେମାରେ ତାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅବଦାନ ପାଇଁ ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର ୨୦୨୪ରେ ସମ୍ମାନିତ କରାଯିବ। ସରକାରଙ୍କ ସୂଚନା ଅନୁଯାୟୀ, ଗୁଜରାଟର କେଭାଡିଆଠାରେ ୨୨ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଅନନ୍ତ ନାଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଦାଦାସାହେବ ଫାଲ୍‌କେ ପୁରସ୍କାର ଚୟନ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାର ପକ୍ଷରୁ କୁହାଯାଇଛି। ଅନନ୍ତ ନାଗ ନିଜର ଅଭିନୟ ଜରିଆରେ ଏକାଧିକ ପିଢ଼ିକୁ ପ୍ରେରଣା ଦେଇଥିବା ମଧ୍ୟ PIB ପକ୍ଷରୁ କୁହାଯାଇଛି।ଅନନ୍ତ ନାଗ ଜଣେ ପ୍ରବୀଣ ଅଭିନେତା ଏବଂ ରାଜନେତା। ସେ କନ୍ନଡ ସିନେମାରେ ତାଙ୍କର ପ୍ରଚୁର ଅବଦାନ ପାଇଁ ଜଣାଶୁଣା। ତାଙ୍କର ଜନ୍ମ ସେପ୍ଟେମ୍ବର ୪, ୧୯୪୮ ରେ ହୋଇଥିଲା। ସେ ତାଙ୍କ କ୍ୟାରିଅରରେ କନ୍ନଡ, ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ ଏବଂ ମାଲାୟଲମ ଚଳଚ୍ଚିତ୍ର ସମେତ ୩୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଅଧିକ ପଢନ୍ତୁ