ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି ।ଏହି ହାଇ-ପ୍ରୋଫାଇଲ୍ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୟଂ ଆଡଭୋକେଟ୍ ଜେନେରାଲ କୋର୍ଟରେ ହାଜର ହୋଇ ସରକାରୀ ଓ ଆଇନଗତ ସ୍ଥିତି ସ୍ପଷ୍ଟ କରିଛନ୍ତି । ବିଜେଡି ଏବଂ ବିଧାୟକଙ୍କ ମଧ୍ୟରେ ଚାଲିଥିବା ଏହି ଆଇନଗତ ଓ ରାଜନୈତିକ ଲଢ଼ଇରେ କୋର୍ଟ ଏହାର ଗମ୍ଭୀରତାକୁ ବିଚାରକୁ ନେଇ ଯଥାଶୀଘ୍ର ସଠିକ୍ ପ୍ରତିଜବାବ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ମାମଲା ଦାୟର କରିଛନ୍ତି । ରମାକାନ୍ତ ଭୋଇ, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ସମେତ ବିଧାନସଭା ବାଚସ୍ପତିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।ଗତ ମାର୍ଚ୍ଚରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଉପରୋକ୍ତ ୮ ବିଧାୟକ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ବିଜେଡି ଅଭିଯୋଗ କରିଥିଲା । ଏହାକୁ ଆଧାର କରି ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ଜୁନ୍ ୨୨ରେ ବାଚସ୍ପତି ସୁରମା ପାଢ଼ୀ ଏହି ଆବେଦନକୁ ଖାରଜ କରିଥିଲେ।
